ଶ୍ରୀନଗର : ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଓ କୁଲ୍ଗାମ୍ ଜିଲ୍ଲାରେ ଦୁଇଟି ପୃଥକ୍ ଏନ୍କାଉଣ୍ଟର୍ ଘଟଣାରେ ୬ଜଣ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା କଥା ଆଜି ପୁଲିସ କହିଛି। ନିହତ ଆତଙ୍କବାଦୀମାନେ ଥିଲେ ‘ଜୈଶ୍-ଏ-ମହମ୍ମଦ୍’ ସହ ଅନୁବନ୍ଧିତ ସଂଗଠନର ସଦସ୍ୟ। ନିରାପତ୍ତା ବଳର ଏହି ଅଭିଯାନ ମଧ୍ୟ ଉଲ୍ଲେଖନୀୟ ବୋଲି କଶ୍ମୀରର ପୁଲିସ ଇନ୍ସପେକ୍ଟର୍ ଜେନେରାଲ୍ ବିଜୟ କୁମାର କହିଛନ୍ତି। ଗତ ସନ୍ଧ୍ୟାରେ ଦକ୍ଷିଣ କଶ୍ମୀରର ଉପରୋକ୍ତ ଦୁଇ ଜିଲ୍ଲାରେ ସଂଗଠିତ ପୃଥକ୍ ଆତଙ୍କବାଦ ଅଭିଯାନ ଆରମ୍ଭ ହୋଇଥିଲା ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ପୁଲିସ କହିଛି, ଅନନ୍ତନାଗ ନିକଟବର୍ତ୍ତୀ ଦୂରୁ ଅନ୍ତର୍ଗତ ନୌଗାମ୍ ଶାହାବାଦ ଅଞ୍ଚଳରେ ନିରାପତ୍ତା ଅଭିଯାନ ବେଳେ ଜଣେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ।
ତାଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇ ନିକଟରେ ଥିବା ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅନନ୍ତନାଗ ଏନ୍କାଉଣ୍ଟର୍ ଶେଷ ହେବା କ୍ଷଣି ନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି କୁଲ୍ଗାମ୍ ଜିଲ୍ଲାର ମିର୍ହମା ଗ୍ରାମରେ ଅଭିଯାନ ଆରମ୍ଭ ହୋଇଥିଲା ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ତଲାସ ଅଭିଯାନ ଚାଲିଥିବା ବେଳେ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ପ୍ରଥମେ କଶ୍ମୀର ଜୋନ୍ ପୁଲିସ ଟୁଇଟ୍ କରିଥିଲା।
ବିଳମ୍ବିତ ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଉକ୍ତ ଅଭିଯାନରେ ଆଉ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ପୁଲିସ ସୁନିଶ୍ଚିତ କରି କହିଲା। ଆଜି ପ୍ରତ୍ୟୁଷରେ କଶ୍ମୀର ପୁଲିସର ଅଫିସିଆଲ୍ ହ୍ୟାଣ୍ଡେଲ୍ ଟୁଇଟ୍ କରିଛି ଯେ, ୨ଟି ଏନ୍କାଉଣ୍ଟର୍ରେ ୬ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ୬ ଆତଙ୍କବାଦୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୪ଜଣଙ୍କର ପରିଚୟ ମିଳିଛି। ସେମାନଙ୍କ ମଧ୍ୟରୁ ୨ଜଣ ଆସିଥିଲେ ପାକିସ୍ତାନରୁ। ଅନ୍ୟ ୨ଜଣ ଆତଙ୍କବାଦୀଙ୍କ ପରିଚୟ ସଂକ୍ରାନ୍ତରେ ସୁନିଶ୍ଚିତ ହେବାକୁ ଉଦ୍ୟମ ଚାଲିଛି।