ଦୁବାଇ: ଚଳିତ ଆଇପିଏଲ୍ରେ ଶୁକ୍ରବାର ସଂସ୍କରଣର ୪୫ତମ ମ୍ୟାଚ୍ ଖେଳାଯାଇଛି । ଏଥିରେ କୋଲ୍କାତା ନାଇଟ୍ ରାଇଡର୍ସକୁ ୫ ୱିକେଟ୍ରେ ପରାସ୍ତ କରି ପଞ୍ଚମ ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗ୍ସ । ଏଥିସହ ଦଳ ପଏଣ୍ଟ୍ ଟେବଲ୍ରେ ଷଷ୍ଠରୁ ପଞ୍ଚମକୁ ଉନ୍ନୀତ ହୋଇଛି । ପ୍ରଥମେ ବ୍ୟାଟିଂ ସୁଯୋଗ ପାଇ ୭ ୱିକେଟ୍ ବିନିମୟରେ କୋଲ୍କାତା ୧୬୫ ରନ୍ କରିଥିବା ବେଳେ ଜବାବରେ ପଞ୍ଜାବ ୫ ୱିକେଟ୍ ହରାଇ ୧୯.୩ ଓଭର୍ରେ ୧୬୮ ରନ୍ କରି ବିଜୟୀ ହୋଇଛି । କୋଲ୍କାତା ପକ୍ଷରୁ ଓପନର ଭେଙ୍କଟେଶ ଆୟର୍ ତାଙ୍କର ଡେବ୍ୟୁ ଆଇପିଏଲ୍ରେ ଦ୍ୱିତୀୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଭେଙ୍କଟେଶ ୪୯ଟି ବଲ୍ ଖେଳି ୯ଟି ଚୌକା ଓ ଗୋଟିଏ ଛକା ଜରିଆରେ ୬୭ ରନ୍ କରିଥିଲେ । ଓପନର ଶୁବମାନ ଗିଲ୍ ମାତ୍ର ୭ ରନ୍ କରି ଆଉଟ୍ ହେବା ପରେ ଭେଙ୍କଟେଶ ଓ ରାହୁଲ୍ ତ୍ରିପାଠୀଙ୍କ ମଧ୍ୟରେ ୭୨ ରନ୍ର ବଡ଼ ଭାଗୀଦାରୀ ହୋଇଥିଲା । ତ୍ରିପାଠୀ ୩ଟି ଚୌକା ଓ ଗୋଟିଏ ଛକା ସହ ୩୪ ରନ୍ କରିଥିବା ସମୟରେ ଆଉଟ୍ ହେବା ଫଳରେ ଏହି ଭାଗୀଦାରୀରେ ବ୍ରେକ୍ ଲାଗିଥିଲା । ପରେ ତୃତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଭେଙ୍କଟେଶ ଆଉଟ୍ ହୋଇଥିଲେ । ନୀତିଶ ରାଣା ୧୮ ବଲ୍ ଖେଳି ୨ଟି ଲେଖାଏଁ ଚୌକା ଓ ଛକା ଜରିଆରେ ଦ୍ରୁତ ୩୧ କରିଥିଲେ । ଆହୁରି ଦିନେଶ କାର୍ତ୍ତିକ ୧୧ ବଲ୍ରେ ୧୧ ରନ୍ କରିଥିଲେ । ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ ସର୍ବାଧିକ ୩ଟି ୱିକେଟ୍ ନେଇ ପର୍ପଲ୍ କ୍ୟାପ୍ ଦୌଡ଼ରେ ଚତୁର୍ଥକୁ ଉନ୍ନୀତ ହୋଇଛନ୍ତି । ଏହାଛଡ଼ା ସ୍ପିନର୍ ରବି ବିଷ୍ଣୋଇ ୨ଟି ଓ ମହମ୍ମଦ ଶମୀ ଗୋଟିଏ ୱିକେଟ୍ ନେଇଥିଲେ । ଜବାବରେ ପଞ୍ଜାବର ଦୁଇ ଓପନର ଅଧିନାୟକ ଲୋକେଶ ରାହୁଲ୍ ଓ ମୟଙ୍କ ଅଗରୱାଲ୍ ୭୦ ରନ୍ ଯୋଡ଼ିଥିଲେ । ମୟଙ୍କ ମାତ୍ର ୨୭ଟି ବଲ୍ରେ ୩ଟି ଲେଖାଏଁ ଚୌକା ଓ ଛକା ସହ ୪୦ ରନ୍ କରିଥିବା ବେଳେ ରାହୁଲ୍ ଦଳକୁ ବିଜୟ ନିକଟତର କରାଇଥିଲେ । ବିଜୟ ପାଇଁ ୪ ରନ୍ ଆବଶ୍ୟକ ହେଉଥିବା ବେଳେ ରାହୁଲ୍ ୫୫ଟି ବଲ୍ ଖେଳି ୪ଟି ଚୌକା ଓ ୨ଟି ଛକା ସହ ୬୭ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ । ଏହାପରେ ଯୁବ ବ୍ୟାଟ୍ସମ୍ୟାନ୍ ଶାହରୁଖ୍ ଖାନ୍ ମାତ୍ର ୯ଟି ବଲ୍ରେ ଗୋଟିଏ ଚୌକା ଓ ୨ଟି ଛକା ମାରି ଦଳକୁ ୧୯.୩ ଓଭର୍ରେ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ । କୋଲ୍କାତା ପକ୍ଷରୁ ବରୁନ୍ ଚକ୍ରବର୍ତ୍ତୀ ୨ଟି, ଶିବମ୍ ମାଭି, ସୁନୀଲ ନରିନ୍ ଓ ଭେଙ୍କଟେଶ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।