28.1 C
Bhubaneswar
Sunday, September 29, 2024
Homeଓଡିଶାୟୁଟ୍ୟୁବରୁ ମାସିକ ୫୦ ହଜାର ଟଙ୍କା ରୋଜଗାର; ଆଦିବାସୀ କଲେଜ ଛାତ୍ର ଆଶିଷଙ୍କ କାରନାମା

ୟୁଟ୍ୟୁବରୁ ମାସିକ ୫୦ ହଜାର ଟଙ୍କା ରୋଜଗାର; ଆଦିବାସୀ କଲେଜ ଛାତ୍ର ଆଶିଷଙ୍କ କାରନାମା

ବାରିପଦା: ଘରର ଆର୍ଥିକ ସ୍ଥିତି ସେତେଟା ଭଲ ନୁହେଁ। ଦୁଇ ପୁଅଙ୍କୁ ଅଧିକ ପାଠ ପଠାଇବା ବାପା ମା’ଙ୍କ ପକ୍ଷେ କଷ୍ଟକର ବ୍ୟାପାର ଥିଲା। ତେବେ ଘରର ବଡ଼ପୁଅ ହିସାବରେ ଅଳ୍ପ ବହୁତ ରୋଜଗାର କରିବାକୁ ମନସ୍ଥ କଲେ ଆଶିଷ। ମ୍ୟୁଜିକ୍‌ ଭିଡିଓ ଏଡିଟିଂ ପ୍ରତି ଆଗ୍ରହ ଥିବାରୁ ୟୁଟ୍ୟୁବ୍‌ରୁ ଏହାର କଳାକୌଶଳ ଶିଖିଲେ। ପାଠପଢ଼ା ସହ ଭିଡିଓ ଏଡିଟିଂ ଶିଖିଗଲେ। ଆଉ ଏବେ ସେ ମାସକୁ ୫୦ ହଜାରରୁ ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇ ପାରିଛନ୍ତି। ନିଜ ପାଠପଢ଼ା ଜାରି ରଖିବା ସହ ସାନ ଭାଇକୁ ବି ପଢାଉଛନ୍ତି।

ଏ ସଫଳ କାହାଣୀ ହେଉଛି ବାରିପଦା ସହର ୨୫ ନମ୍ବର ୱାର୍ଡ ଦେବେନ୍ଦ୍ରପୁରର ବଦେନ ହାଁସଦା ଓ ଆଶାଲତା ହାଁସଦାଙ୍କ ପୁଅ ଆଶିଷଙ୍କର। ଶ୍ରୀରାମଚନ୍ଦ୍ର ଭଞ୍ଜ ଡିଗ୍ରି କଲେଜର ପଦାର୍ଥ ବିଜ୍ଞାନ ବିଭାଗ ସମ୍ମାନ ଶେଷ ବର୍ଷର ଛାତ୍ର ହେଲେ ଆଶିଷ। ୨ ବର୍ଷ ପୂର୍ବେ ସେ ୟୁଟ୍ୟୁବ୍‌ରୁ ମ୍ୟୁଜିକ୍ ଭିଡିଓ ଏଡିଟିଂ ଶିଖିଥିଲେ। ଏହାପରେ ଏକ ପୁରୁଣା କମ୍ପ୍ୟୁଟର କିଣି ସେଥିରେ ସାନ୍ତାଳୀ ଆଲବମ୍, ମ୍ୟୁଜିକ୍ ଭିଡିଓ ଏଡିଟିଂ କରିବା ଆରମ୍ଭ କରିଥିଲେ। ଏହି କ୍ଷେତ୍ରରେ ତାଙ୍କ ଦକ୍ଷତା ଖୁବ୍‌ କମ ଦିନରେ ତାଙ୍କୁ ସଫଳତା ଆଣିଦେଲା। ଆଲବମ୍ ପ୍ରଯୋଜକମାନେ ମଧ୍ୟ ତାଙ୍କ କାମରେ ଖୁସି ହୋଇ ଅଧିକରୁ ଅଧିକ କାମ ଯୋଗାଇ ଦେଇଥିଲେ। ପ୍ରଥମେ ମାସକୁ ୫ରୁ ୭ ହଜାର ଟଙ୍କା ରୋଜଗାର କରୁଥିବା ଆଶିଷ ଏବେ ମାସିକ ୫୦ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି। ଆଜି ସୁଦ୍ଧା ସେ ୧୧୦ଟି ସାନ୍ତାଳୀ ଆଲବମ୍‌ର ଭିଡିଓ ଏଡିଟିଂ କରି ସାରିଲେଣି। କାମ ବଢ଼ୁଥିବାରୁ ଆଉ ୫ଟି କମ୍ପ୍ୟୁଟର ବି କିଣିଛନ୍ତି ଆଶିଷ।

ତେବେ କାମ ଓ ଭଲ ରୋଜଗାର ଭିତରେ ବି ପାଠପଢ଼ାକୁ ସେ ଅବହେଳା କରିନାହାନ୍ତି। ପଢା ସରିବା ପରେ ଭଲ ଚାକିରିଟିଏ ପାଇଁ ଚେଷ୍ଟା କରିବି। ଯଦି ଚାକିରିର ସୁଯୋଗ ନ ମିଳେ ତବେ ଏହି ଏଡିଟିଂ କ୍ଷେତ୍ରରେ ଅଧିକ ଦକ୍ଷତା ଅର୍ଜନ କରିବା ସହ ଏହି କାମକୁ ପେଷା ଭାବେ ଗ୍ରହଣ କରିବି। ଆବଶ୍ୟକ ପଡ଼ିଲେ ଅନ୍ୟମାନଙ୍କୁ ଏହି କାମରେ ଲଗାଇ ସେମାନଙ୍କୁ ରୋଜଗାରକ୍ଷମ କରାଇବି ନିଜ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଆଶିଷ। ପୁଅର ଏହି ସଫଳତାକୁ ନେଇ ବାପା ଓ ମା ବି ବେଶ୍ ଖୁସି ଥିବା କହିଛନ୍ତି। ଆଜିର ଶିକ୍ଷକ ଯୁବଗୋଷ୍ଠୀ ଚାକିରି ନ ପାଇ ହତାଶ ହୋଇ ପଡ଼ୁଥିବା ବେଳେ ନିଜ ଇଚ୍ଛାଶକ୍ତି ଥିଲେ ଜଣେ ସ୍ବରୋଜଗାରକ୍ଷମ ହୋଇ ପାରିବ ବୋଲି ପ୍ରମା‌ଣ କରି ଦେଖାଇଛନ୍ତି ଆଶିଷ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking