ନୂଆଦିଲ୍ଲୀ : ଭାରତୀୟ ରାସ୍ତାରେ ଚଳାଚଳ କରୁଥିବା ପ୍ରାୟ ୫୦ ପ୍ରତିଶତ ଯାନବାହନ ବୀମାଭୁକ୍ତ ହୋଇନଥିବା ଜଣାପଡିଛି । ଏପରିକି ଥାର୍ଡପାର୍ଟି ଇନ୍ସ୍ୟୁରାନ୍ସ ବାଧ୍ୟତାମୂଳକ ହୋଇଥିଲେ ସୁଦ୍ଧା ଏହି ଯାନଗୁଡିକ ବିନା ବୀମାରେ ଚଳାଚଳ କରୁଛି । ମଙ୍ଗଳବାର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭଗୱତ କରାଡ୍ କହିଛନ୍ତି ଯେ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଭାରତୀୟ ସଡକରେ ପ୍ରାୟ ୩୦.୫ କୋଟି ଯାନବାହନ ଚଳାଚଳ କରୁଛି । ଅବଶ୍ୟ ଏଥିମଧ୍ୟରେ ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ଲାକ୍ଷାଦୀପକୁ ସାମିଲ କରାଯାଇନାହିଁ ।
ଏଥିମଧ୍ୟରୁ ପ୍ରାୟ ୧୫ କୋଟି ଯାନ ବିନା ଇନ୍ସ୍ୟୁରାନ୍ସରେ ଚଳାଚଳ କରୁଛି । ସଡକ ଦୁର୍ଘଟଣାରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଥାର୍ଡପାର୍ଟି ବୀମା ବ୍ୟବସ୍ଥା ରହିଛି । ଏଥିପାଇଁ ଗାଡି ମାଲିକଙ୍କୁ ଅପେକ୍ଷାକୃତ କମ ଅର୍ଥ ପୈଠ କରିବାକୁ ପଡିଥାଏ । ଏହାସତ୍ତ୍ୱେ ସେମାନେ ଥାର୍ଡପାର୍ଟି ବୀମା କରିବାକୁ ମଧ୍ୟ କୁଣ୍ଠାବୋଧ କରୁଛନ୍ତି । ଯାଞ୍ଚ ସମୟରେ ରାସ୍ତାରେ ଥାର୍ଡପାର୍ଟି ବୀମା ବ୍ୟବସ୍ଥା କରିବାକୁ କେତେକ ସାଂସଦ ପ୍ରସ୍ତାବ ଦେଇଛନ୍ତି । ତେବେ ଏହା କେତଦୂର ସମ୍ଭବ ହୋଇପାରିବ, ସେଥିନେଇ ମନ୍ତ୍ରଣାଳୟ ଆଶଙ୍କାବ୍ୟକ୍ତ କରିଛି ।