ୟେରେଭାନ୍ : ତତ୍କାଳୀନ ସୋଭିଏତ୍ ସଂଘର ଦୁଇ ପଡୋଶୀ ରାଷ୍ଟ୍ର ଆର୍ମେନିଆ ଓ ଆଜରବୈଜାନ୍ ମଧ୍ୟରେ ବିଗତ ଦୁଇବର୍ଷ ଧରି ଲାଗିରହିଥିବା ସୀମା ବିବାଦ ମଙ୍ଗଳବାର ଚରମ ସୀମାରେ ଉପନୀତ ହୋଇଥିବା ଜଣାପଡିଛି । ଆଜରବୈଜାନ ସୈନ୍ୟମାନେ ସୀମା ଅତିକ୍ରମ କରିବାକୁ ଉଦ୍ୟମ କରୁଥିବାବେଳେ ଆର୍ମେନିଆ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ଏହି ସୀମା ସଂଘର୍ଷରେ ଆର୍ମେନିଆର ୫୦ ଜଣ ସୈନ୍ୟ ପ୍ରାଣ ହରାଇଛନ୍ତି ବୋଲି ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପାସିନ୍ୟାନ୍ କହିଛନ୍ତି ।
ଆକ୍ରମଣ ପରିପ୍ରେକ୍ଷୀରେ ଆର୍ମେନିଆ ପକ୍ଷରୁ ବିଶ୍ୱ ସମୁଦାୟର ସହାୟତା ଲୋଡାଯାଇଛି । ସୂଚନାଯୋଗ୍ୟ ନାଗୋର୍ନୋ-କାରାବାକ୍ ଅଞ୍ଚଳକୁ ନେଇ ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ୨୦୨୦ରେ ପ୍ରଥମେ ଯୁଦ୍ଧ ଲାଗିଥିଲା । ଏଥିରେ ଉଭୟପକ୍ଷର ପ୍ରାୟ ୬୫୦୦ ସୈନ୍ୟ ପ୍ରାଣ ହରାଇଥିବାବେଳେ ଆଉ କେତେ ହଜାର ଆହତ ହୋଇଥିଲେ । ଆର୍ମେନିଆ ବନ୍ଧୁ ରାଷ୍ଟ୍ର ହୋଇଥିବାରୁ ସେତେବେଳେ ରୁଷ୍ ଏହି ଯୁଦ୍ଧରେ ମଧ୍ୟସ୍ଥତା କରିଥିଲା ।
ଫଳରେ ଆର୍ମେନିଆ-ଆଜରବୈଜାନ୍ ଯୁଦ୍ଧର ପରିସମାପ୍ତି ଘଟିଥିବାବେଳେ ରୁଷ୍ ପକ୍ଷରୁ ଆର୍ମେନିଆରେ ସହସ୍ରାଧିକ ସୈନ୍ୟଙ୍କୁ ମୁତୟନ କରାଯାଇଥିଲା । ମଙ୍ଗଳବାର ସାନି ସଂଘର୍ଷ ଘଟିବାପରେ ରୁଷ୍ ପକ୍ଷରୁ ପୁଣି ମଧ୍ୟସ୍ଥତା କରାଯାଇଛି । ଫଳରେ ଉଭୟପକ୍ଷ ମଧ୍ୟରେ ଅସ୍ତ୍ରବିରତି ରାଜିନାମା ସ୍ୱାକ୍ଷରିତ ହୋଇଥିବା ଜଣାପଡିଛି । ଏହି ଲଢେଇ ବନ୍ଦ ରହିଥିଲେ ସୁଦ୍ଧା ସୀମାରେ ଏବେମଧ୍ୟ ଉତ୍ତେଜନା ବଳବତ୍ତର ରହିଛି ବୋଲି ଆର୍ମେନିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ମଙ୍ଗଳବାର ସଂସଦକୁ ସମ୍ବୋଧିତ କରିବା ଅବସରରେ ଆଜରବୈଜାନ୍ର ଯୁଦ୍ଧଖୋର ମନୋବୃତ୍ତି ଉପରେ କଟକଣା ଜାରି କରିବାକୁ ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ଇତିମଧ୍ୟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିିନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଓ ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ଙ୍କୁ ଅନୁରୋଧ କରିଛନ୍ତି ।