ଢେଙ୍କାନାଳ: ୫-ଟି ସଚିବ ଭିକେ ପାଣ୍ଡିଆନ୍ଙ୍କ ଦୁଇଦିନିଆ ଢେଙ୍କାନାଳ ଜିଲ୍ଲାଗ୍ରସ୍ତ ଜିଲ୍ଲାବାସୀଙ୍କୁ ବେଶ ଉତ୍ସାହିତ କରିଛି । ଆଜି ଦ୍ୱିତୀୟ ଦିନରେ ଢେଙ୍କାନାଳ ସହରର ବଳରାମ ଜିଉଙ୍କ ମନ୍ଦିରରେ ଦର୍ଶନ କରି ସେ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ବଳରାମ ଜିଉ ମନ୍ଦିର ଓ ଜାଉଁଳି ପୋଖରୀ ମଠର ଉନ୍ନତୀକରଣ କରାଯିବ ବୋଲି କହିଥିଲେ । ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମିଲେଟ କେଫ୍କୁ ଯାଇ ନିଜେ ମାଣ୍ଡିଆ ପିଠା ଖାଇବା ସହ ମିଶନଶକ୍ତିର ମହିଳା ଗୋଷ୍ଠୀଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଷ୍ଟାଡିୟମରେ ହକି, ଫୁଟବଲ, ବ୍ୟାଡମିଟନ ଆଦି ବିଭିନ୍ନ ବର୍ଗର କୁନି କୁନି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କେବଳ ଚାକିରୀ ପାଇବା ଆଶାରେ ନଖେଳି ଅନ୍ତର୍ଜାତୀୟ ସ୍ତରରେ ମେଡାଲ ହାସଲ ଉଦ୍ଦେଶ୍ୟରେ ଖେଳିବାକୁ ସେ ପରାମର୍ଶ ଦେଇଥିଲେ । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରି ରୋଗୀମାନଙ୍କୁ ସରକାରୀ ସୁବିଧା ସୁଯୋଗ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ । ଏହାପରେ ୫-ଟି ସଚିବ ଦେଶ ବିଦେଶରେ ଲୋକପ୍ରିୟ ହସ୍ତଶିଳ୍ପ ଡୋକ୍ରାର ଗାଁ ସଦର ବ୍ଲକ ଅନ୍ତର୍ଗତ ସଦେଇବେରେଣି ଗସ୍ତ କରିଥିଲେ ।
କଳାକୃତି ଗ୍ରାମ ପ୍ରକଳ୍ପ ବୁଲି ଦୋକ୍ରା ଗୋଷ୍ଠୀର ମହିଳା ଓ କାରିଗରମାନଙ୍କୁ ସେମାନଙ୍କ ଭଲ ମନ୍ଦ ପଚାରି ବୁଝିଥିଲେ । ମହିଳା ସଶକ୍ତୀକରଣ ଦିଗରେ ମିଶନଶକ୍ତି ମହିଳାମାନେ ଆହୁରି ସଶକ୍ତ ହେବାକୁ ସେ ଆହ୍ୱାନ ଦେଇଥିଲେ । ୫-ଟିରେ ରୁପାନ୍ତରୀକରଣ ହୋଇଥିବା ସ୍କୁଲେରେ ପିଲାମାନେ ଆବଶ୍ୟକ ସୁବିଧା ସୁଯୋଗ ପାଉଛନ୍ତି କି ନାହିଁ ଜାଣିବା ପାଇଁ ସପ୍ତଶଯ୍ୟା ଉଚ ବିଦ୍ୟାଳୟକୁ ଯାଇ ସ୍ମାର୍ଟ କ୍ଳାସରେ ପିଲାଙ୍କ ସହ ସିଧାସଳଖ କଥାବାର୍ତ୍ତା ହୋଇଥିଲେ । ଏହି ଅବସରରେ ପିଲାଙ୍କ ଉତ୍ତମ ଚରିତ୍ର ଗଠନ ଓ ଜୀବନରେ ଲକ୍ଷ ଧାର୍ଯ୍ୟ କରି କଠିନ ପରିଶ୍ରମ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହାପରେ ୫-ଟି ସଚିବ ହେଲିକ୍ୟାପ୍ଟର ଯୋଗେ କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ, ପରଜଙ୍ଗସ୍ଥିତ ଷ୍ଟାଡିୟମ ଓ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଖଜୁରିଆକଟା ଷ୍ଟାଡିୟମରେ ଓହ୍ଲାଇ ସାଧାରଣ ସଭାରେ ଯୋଗଦେଇ ଜଣସଧାରଣଙ୍କ ଆପତ୍ତି ଅଭିଯୋଗ ସାଉଁଟି ଥିଲେ । ପରେ ଖଜୁରିଆକଟା ହାଇସ୍କୁଲରେ ସ୍ମାର୍ଟ କ୍ଲାସ ଓ ସ୍ମାର୍ଟ ଲାବୋରେଟୋରିକୁ ବୁଲି ଦେଖିବା ସହିତ ପିଲାମାନଙ୍କ ସହ ଆଲୋଚନା କରିଥିଲେ ।
୫-ଟି ସଚିବଙ୍କ ଏହି ଦୁଇ ଦିନିଆ ଢେଙ୍କାନାଳ ଗସ୍ତ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ସାମିଲ ଥିବା ପରିଲଖିତ ହୋଇଥିଲା । ଏହି ଗସ୍ତ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଖୁବ ଉତ୍ସାହର ସହିତ ୫-ଟି ସଚିବଙ୍କୁ ଅଞ୍ଚଳବାସୀ ବାଜା ବଜାଇ ଫୁଲ ବର୍ଷା କରିବା ସହ ରୋଷଣୀରେ ସଭା ମଞ୍ଚ ଯାଏଁ ପାଛୋଟି ନେଇଥିବା ଦେଖିବାକୁ ମିଳିଥିଲା । କ୍ରୀଡା, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ମହିଳା ସଶକ୍ତୀକରଣ ସମ୍ପର୍କୀତ ସମସ୍ୟା ଗୁଡ଼ିକର ମାତ୍ର ସାତ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ସେ କହିଥିଲେ । ଏହା ସାଙ୍ଗକୁ ମଠ, ମନ୍ଦିର, ମସଜିଦ ଓ ଚର୍ଚ୍ଚ ଗୁଡ଼ିକର ଉନ୍ନତି ସାଧନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।