31.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଆତଙ୍କୀ ହମ୍‌ଲାରେ ୫ ଯବାନ ସହିଦ; ମୃତକଙ୍କ ମଧ୍ୟରେ ଓଡ଼ିଶାର ଦେବାଶିଷ ବିଶ୍ୱାଳ

ଆତଙ୍କୀ ହମ୍‌ଲାରେ ୫ ଯବାନ ସହିଦ; ମୃତକଙ୍କ ମଧ୍ୟରେ ଓଡ଼ିଶାର ଦେବାଶିଷ ବିଶ୍ୱାଳ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲ୍ଲାରେ ଗୁରୁବାର ଆତଙ୍କବାଦୀମାନେ ଏକ ସେନା ଟ୍ରକ୍ ଉପରେ ଆକ୍ରମଣ କରିବା ଫଳରେ ୫ ଯବାନ ସହିଦ ହୋଇଛନ୍ତି । ସହିଦଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଅଛନ୍ତି । ସେ ହେଉଛନ୍ତିି ପୁଲୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ଅଳଗୁମ୍ ଖଣ୍ଡାୟତ ସାହିର ପ୍ରତାପ ବିଶ୍ୱାଳ ଓ ମମତାଙ୍କ ପୁତ୍ର ଦେବାଶିଷ ବିଶ୍ୱାଳ । ଦେବାଶିଷ ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ବିବାହ କରିଥିବାବେଳେ ତାଙ୍କର ଏକ ୭ ମାସର କନ୍ୟା ସନ୍ତାନ ଅଛି । ଆକ୍ରମଣ ପରେ ସେନା ମୁଖ୍ୟାଳୟରୁ ତାଙ୍କ ପରିବାରକୁ ଏହି ସୂଚନା ଦିଆଯାଇଥିବା ପ୍ରକାଶ । ଫଳରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଆହତ ଅନ୍ୟ ଦୁଇ ଯବାନଙ୍କୁ ରାଜୌରୀସ୍ଥିତ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତାହତମାନେ ରାଷ୍ଟ୍ରୀୟ ରାଇଫଲ୍‌ସ ଯବାନ ବୋଲି ଜଣାପଡିଛି । ଆତଙ୍କବାଦୀଙ୍କ ଗ୍ରେନେଡ ମାଡରେ ଟ୍ରକ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିବା କୁହାଯାଇଛି । ପ୍ରଥମେ ବଜ୍ରପାତ ଯୋଗୁଁ ଟ୍ରକ୍‌ରେ ନିଆଁ ଲାଗିଥିବା ଅନୁମାନ କରାଯାଉଥିଲା । ତେବେ ପରବର୍ତ୍ତୀ ସମୟରେ ଏହା ଆତଙ୍କବାଦୀ ଆକ୍ରମଣ ବୋଲି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଜମ୍ମୁ-କଶ୍ମୀର ପୁଲିସ ଓ ସେନାର ମିଳିତ ବାହିନୀ ଉକ୍ତ ଅଞ୍ଚଳକୁ ଘେରାଉ କରି ତଲାସି ଅଭିଯାନ ଜାରି ରଖିଛନ୍ତି ।

ଉକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ଖରାପ ଆଲୋକର ସୁଯୋଗ ନେଇ ଆତଙ୍କବାଦୀମାନେ ଏଭଳି ଆକ୍ରମଣ କରିଥିବା ସେନା ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ‘ଜମ୍ମୁ କଶ୍ମୀର ଫ୍ରିଡମ ଫାଇଟର୍ସ’ ନାମକ ଏକ ଅଜଣା ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ସଂଗଠନର ସ୍ପେଶାଲ ସ୍କ୍ୱାଡ୍ ଆଇଇଡି ଜରିଆରେ ଆକ୍ରମଣ କରିଛନ୍ତି ବୋଲି ସଂଗଠନ ପକ୍ଷରୁ ପତ୍ର ଜରିଆରେ ସୂଚୀତ କରାଯାଇଛି । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏହି ଘଟଣାରେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ଏବଂ ନର୍ଦନ କମାଣ୍ଡ୍ ସେନା ଅଧିକାରୀଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏହି ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିବାବେଳେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେନା ପକ୍ଷରୁ ଜାରି କରାଯାଇଥିବା ବିବୃତି ଅନୁଯାୟୀ ଗୁରୁବାର ଅପରାହ୍ଣ ୩ଟା ସମୟରେ ଆତଙ୍କବାଦୀ ଦମନ କାର୍ଯ୍ୟରେ ନିୟୋଜିତ ରାଷ୍ଟ୍ରୀୟ ରାଇଫଲ୍‌ସ ଯବାନଙ୍କୁ ନେଇ ଉକ୍ତ ଟ୍ରକ୍‌ଟି ରାଜୌରୀ ସେକ୍ଟରର ଭିମ୍ବେର ଗଲିରୁ ସାଙ୍ଗିଓଟ୍ ଯାଉଥିଲା । ତେବେ ମେନ୍ଧାର ସବ୍‌ଡିଭିଜନ ଅନ୍ତର୍ଗତ ଭଟା ଧୁରିଆନ୍ ଅଞ୍ଚଳରେ ପହଞ୍ଚିଥିବାବେଳେ ଟ୍ରକ୍ ଉପରେ ଏଭଳି ଆକ୍ରମଣ ହୋଇଛି ବୋଲି ଜମ୍ମୁରେ ଅବସ୍ଥାପିତ ପ୍ରତିରକ୍ଷା ବିଭାଗ ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଦେବେନ୍ଦର ଆନନ୍ଦ କହିଛନ୍ତି । ଆତଙ୍କବାଦୀ ହମ୍‌ଲା ପରେ ଭିମ୍ବେର ଗଲି ଓ ସୁରନ୍‌କୋଟ୍ ରୁଟ୍‌ରେ ଯାନବାହନ ଚଳାଚଳକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ବିକଳ୍ପ ମାର୍ଗରେ ଯାତାୟାତ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଯେଉଁ ସ୍ଥାନରେ ଆକ୍ରମଣ ହୋଇଛି, ସେହି ବାଟ ଦେଇ ପାକ୍ ଆତଙ୍କବାଦୀମାନେ କଶ୍ମୀର ଘାଟିକୁ ଅନୁପ୍ରବେଶ କରିଥାନ୍ତି ବୋଲି ସେନା ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking