29.1 C
Bhubaneswar
Monday, November 18, 2024
Homeଅପରାଧଏନ୍‌ଏଚ୍‌ଏମ୍ ପୋର୍ଟାଲ ହ୍ୟାକ କରି ୫କୋଟି ଠକେଇ ମାମଲା : ଇଓଡବ୍ଲୁ ପଞ୍ଝାରେ ମୁଖ୍ୟ ଅଭିଯୁକ୍ତ

ଏନ୍‌ଏଚ୍‌ଏମ୍ ପୋର୍ଟାଲ ହ୍ୟାକ କରି ୫କୋଟି ଠକେଇ ମାମଲା : ଇଓଡବ୍ଲୁ ପଞ୍ଝାରେ ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନ୍‌ଏଚ୍‌ଏମ୍‌)ର ପୋର୍ଟାଲ ହ୍ୟାକ କରି ଇ-ଚେକ୍ ଜରିଆରେ ୫.୧କୋଟି ଠକେଇ କରିଥିବା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେ ହେଲେ ରାଉରକେଲାର ବିକାଶ କୁମାର ମାନସିଂ । ତାଙ୍କୁ ମଙ୍ଗଳବାର ସୋନପୁର ଏସ୍‌ଡିଜିଏମ୍ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ରାଜକିଶୋର ନାୟକ, ଅନନ୍ତ ଚରଣ ପ୍ରଧାନ, ଅବିନାଶ ପ୍ରଧାନ ଓ ସମୀର କୁମାର ପତିଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା । ଏଯାବତ ଅଭିଯୁକ୍ତଙ୍କଠାରୁ ୩କୋଟି ୩୦ଲକ୍ଷ ଟଙ୍କା ଜବତ ହୋଇଛି । ଏଥିରେ ଆହୁରି କେତେକ ବ୍ୟକ୍ତି ସମ୍ପୃକ୍ତ ଥିବା ଇଓଡବ୍ଲୁ ଜାଣିବାକୁ ପାଇଛି । ତେଣୁ ମାମଲାର ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ବିକାଶ ଜଣେ ବ୍ୟବସାୟୀ ହୋଇଥିବାବେଳେ ଏମ୍‌/ଏସ୍ ନାଚୁରାଲ୍ସ ନାମକ ସଂସ୍ଥାର ସେ ମାଲିକ । ଅଭିଯୁକ୍ତ ସମୀର ଉକ୍ତ ସଂସ୍ଥାର କର୍ମଚାରୀ ଥିଲେ ।

ଅନ୍ୟପକ୍ଷରେ ଅଭିଯୁକ୍ତ ରାଜକିଶୋର ୨୦୧୬ରୁ ୨୦୨୦ମସିହା ପର୍ଯ୍ୟନ୍ତ ସୋନପୁର ଏନ୍‌ଏଚ୍‌ଏମ୍‌ରେ ଅସ୍ଥାୟୀ ଭାବେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ପରେ ୨୦୨୧ ଡିସେମ୍ବରରୁ କଟକ ଓଲଟପୁରର ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ ରିହାବିଲିଟେଶନ୍ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ଚାକିରି କରିଥିଲେ । ଅନନ୍ତ ଓ ଅବିନାଶ ହେଉଛନ୍ତି ରାଜକିଶୋରଙ୍କ ସମ୍ପର୍କୀୟ । ୨୦୨୧ ମାର୍ଚ୍ଚରେ ବିକାଶଙ୍କ ବୁଦ୍ଧିରେ ଅଭିଯୁକ୍ତମାନେ ନୂଆ କୌଶଳରେ ଟଙ୍କା ହଡ଼ପ ପାଇଁ ଯୋଜନା କରିଥିଲେ । ସେମାନେ ଏନ୍‌ଏଚ୍‌ଏମ୍ ପୋର୍ଟାଲ ଅନଧିକୃତ ଭାବେ ହ୍ୟାକ୍ କରି ୫କୋଟି ୧ଲକ୍ଷ ୫୦ହଜାର ଟଙ୍କାର ଏକ ଇ-ଚେକ୍ କରିଥିଲେ । ଏହାପରେ ସେମାନେ ସୋନପୁର ସିଡିଏମ୍‌ଓ ଏବଂ ଏଡିଏମ୍‌ଓଙ୍କ ନକଲି ଷ୍ଟାମ୍ପ ତିଆରି କରି ତାକୁ ସୋନ୍‌ପୁର ଏସ୍‌ବିଆଇ ଶାଖାରେ କ୍ଲିଅରାନ୍ସ କରାଇଥିଲେ ।  ଏପ୍ରିଲ ୭ ତାରିଖରେ ଏମ୍‌/ଏସ୍ ନାଚୁରାଲ୍ସ ନାମରେ ଥିବା ଆକାଉଣ୍ଟକୁ ଉକ୍ତ ଟଙ୍କା ଟ୍ରାନ୍ସଫର ହୋଇଥିଲା । ଏମ୍‌/ଏସ୍ ନାଚୁରାଲ୍ସ ଆକାଉଣ୍ଟରୁ ଅଭିଯୁକ୍ତମାନେ ପର୍ଯ୍ୟାୟକ୍ରମେ ଟଙ୍କା ନେଇଥିଲେ । ତେବେ ଠକେଇ ବିଷୟରେ ଜଣାପଡିବା ପରେ ସୋନପୁର ସିଡିଏମ୍‌ଓ ଇଓଡବ୍ଲୁରେ ଅଭିଯୋଗ କରିଥିଲେ । ଇଓଡବ୍ଲ୍ୟୁ ଗତ ମେ’ ୧ତାରିଖରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking