ନୂଆଦିଲ୍ଲୀ : କ’ଣ ଏମିତି ବି ମଣିଷ ପାଗଳାମୀ କରିବସେ । ସାମାନ୍ୟ ଜିନିଷ ଚୋରି ପାଇଁ କ’ଣ କେହି କେବେ କାହାର ଜୀବନ ନେଇପାରେ । ରାଜସ୍ଥାନର ଝାଲାୱାର ଅଞ୍ଚଳରୁ ଆସିଛି ଏମିତି ଏକ ହୃଦୟବିଦାରକ ଘଟଣା । ଏଠାରେ ୪ ବର୍ଷର ଏକ ଶିଶୁକନ୍ୟାକୁ ଅତି ଜଘନ୍ୟ ଭାବେ ହତ୍ୟା କରାଯାଇଛି । ଆଉ ହତ୍ୟା ପଛର କାରଣ ଯାହା ରହିଛି, ତାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । କାରଣଟି ହେଲା, ଝିଅଟି ପାଉଁଜି ଚୋରି କରିଥିବା ନେଇ ହତ୍ୟାକାରୀ ସନ୍ଦେହ କରୁଥିଲା । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ହତ୍ୟାକାରୀ ଜଣେ ମହିଳା, ଯିଏକି ନିରୀହ ଝିଅଟିର ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହକୁ ନିଜ ଘର ଭିତରେ ପୋତି ଦେଇଥିଲେ । ପୋଲିସ ମୁତାବକ, ଭବାନୀ ମଣ୍ଡି ଥାନା ଅଞ୍ଚଳରେ ଏହି ଲୋହର୍ଷଣକାରୀ ଘଟଣା ଘଟିଛି । ୨୯ ବର୍ଷୀୟା ଜଣେ ମହିଳା ଶନିବାର ସନ୍ଧ୍ୟାରେ ଚକୋଲେଟ୍ ଦେବା ବାହାନାରେ ଝିଅକୁ ଘର ଭିତରକୁ ଡାକି ନେଇଥିଲେ । ଆଉ ଏହାପରେ ସେ ଘଟାଇ ଥିଲେ ବର୍ବରୋଚିତ ହତ୍ୟାକାଣ୍ଡ । ମହିଳା ଜଣକ ନିଜର ହିତାହତ ଜ୍ଞାନ ଭୁଲି ଯାଇଥିଲେ ।
ଝିଅର ମୁଣ୍ଡକୁ ପଥରରେ ଶକ୍ତ ଆଘାତ ପକାଇବା ପରେ ତଣ୍ଟି ଚିପି ହତ୍ୟା କରିଥିଲେ । ଏହାପରେ ଘର ଭିତରେ ମାଟି ଖୋଲି ପୋତି ଦେଇଥିଲେ । ଝିଅ ନିଖୋଜ ହୋଇ ଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ତତ୍ପର ହୋଇ ଉଠିଥିଲା । ରବିବାର ସକାଳେ ପୋଲିସ ମହିଳାଙ୍କ ଘର ଭିତରୁ ମୃତଦେହକୁ ଜବତ କରିବା ସହ ସେହି ରାତିରେ ତାଙ୍କୁ ଗିରଫ କରିଥିଲା । ସୋମବାର ମହିଳାଙ୍କୁ କୋର୍ଟରେ ହାଜର କରାଯାଇଥିଲା, ସେଠାରୁ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ଭବାନୀ ମଣ୍ଡି ଥାନାର ସର୍କଲ ଇନ୍ସପେକ୍ଟର ମହେଶ ସିଂ କହିଛନ୍ତି ଯେ ଅଭିଯୁକ୍ତ ମହିଳା ଏଭଳି କାଣ୍ଡ ଘଟାଇଥିବା ନେଇ ନିଜର ଦୋଷ ସ୍ୱୀକାର କରିଛନ୍ତି । ପୋଲିସ ତାଙ୍କଠାରୁ ପାଉଁଜି ଜବତ କରିଛି । ପୋଲିସର କହିବା ମୁତାବକ, ମହିଳା ଏହି ଘଟଣା ବିଷୟରେ ସ୍ୱାମୀଙ୍କୁ ବି ଜଣାଇ ନାହାନ୍ତି ।