ଅସ୍ତରଙ୍ଗ: ଅସ୍ତରଙ୍ଗ ଉପକୂଳ ବଙ୍ଗୋପସାଗର ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ବେଆଇନ ମାଛ ଧରାଯିବା ଘଟଣା ସାମ୍ନାକୁ ଆସିଛି । ରବିବାର ବିଳମ୍ବିତ ରାତ୍ରିରେ ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ୨୦ଟି ଟ୍ରଲରରେ ବହୁ ମତ୍ସ୍ୟଜୀବୀ ମାଛ ଧରୁଥିଲେ । ଏହି ସମୟରେ ପୁରୀ ସାମୁଦ୍ରିକ ମତ୍ସ୍ୟବିଭାଗ ଉପ ନିର୍ଦ୍ଦେଶକ ବସନ୍ତ ଦାସଙ୍କ ନେତୃତ୍ୱରେ ବନବିଭାଗ ଓ ତଟରକ୍ଷୀ ବାହିନୀ ମିଳିତ ଚଢ଼ଉ କରି ୩୨ ମତ୍ସ୍ୟଜୀବୀଙ୍କ ସହିତ ୪ ଟ୍ରଲରକୁ ଜବତ କରିବାରେ ସଫଳ ହୋଇଛି । ପାଟ୍ରୋଲିଂ ଟ୍ରଲରରେ ମତ୍ସ୍ୟଜୀବୀଙ୍କୁ ଅସ୍ତରଙ୍ଗ ମାଛଧରା ବନ୍ଦରକୁ ଅଣାଯାଇଥିଲା । ତଦନ୍ତରୁ ଜଣାଯାଇଛି, ଜବତ ଟ୍ରଲର ମଧ୍ୟରୁ ଗୋଟିଏ ବାଲେଶ୍ୱର ଅଞ୍ଚଳର ହୋଇଥିବା ବେଳେ ୩ଟି ପାରାଦୀପର ।
ଅଲିଭ୍ ରିଡ୍ଲେଙ୍କ ସୁରକ୍ଷା ପାଇଁ ସାମୁଦ୍ରିକ ନିଷିଦ୍ଧାଞ୍ଚଳ ଭାବେ ଉପକୂଳ ସମୁଦ୍ରକୂଳ ଠାରୁ ଦେବୀ ମୁହାଣର ୧୦ କିଲୋମିଟର ମଧ୍ୟରେ ଯନ୍ତ୍ର ଚାଳିତ ଡଙ୍ଗା, ଟ୍ରଲର ଦ୍ୱାରା ମାଛ ଧରିବା ଉପରେ କଟକଣା ରହିଛି । ମାତ୍ର ଏହାକୁ ବେଖାତିର କରି ଅସ୍ତରଙ୍ଗ ସାମୁଦ୍ରିକ ଜଳସୀମା ମଧ୍ୟରେ ବହିରାଗତ ଟ୍ରଲରଗୁଡିକ ଅବାଧରେ ଚଳପ୍ରଚଳ କରୁଛନ୍ତି । ସନ୍ଦିଗ୍ଧଙ୍କ ଅନୁପ୍ରବେଶ ଆଶଙ୍କା ବୃଦ୍ଧି ପାଉଥିବା ଉପକୂଳବାସୀ ମତବ୍ୟକ୍ତ କରିଛନ୍ତି ।
ଦୈନିକ ଦେବୀ ମୁହାଣ ଦେଇ ଅଚିହ୍ନା ଅଜଣା ମତ୍ସ୍ୟଜୀବୀଙ୍କ ଅନୁପ୍ରବେଶ ଲାଗି ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଢିଲାରହିଛି । ଅସ୍ତରଙ୍ଗ ନୂଆଗଡ଼ରେ ମେରାଇନ୍ ଥାନା ରହିଥିଲେ ମଧ୍ୟ କର୍ମଚାରୀ ଅଭାବ ଯୋଗୁଁ ସାମୁଦ୍ରିକ ପାଟ୍ରୋଲିଂରେ ବାଧାପ୍ରାପ୍ତ ହେଉଛି । ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ସହ ସାମୁଦ୍ରିକ ନିଷିଦ୍ଧାଞ୍ଚଳ ନିରୀକ୍ଷଣ ଜଣେ ଅଧିକାରୀଙ୍କ ପକ୍ଷେ ସମ୍ଭବ ହେଉନଥିବା ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି । ଅପରପକ୍ଷେ ମତ୍ସ୍ୟବିଭାଗ ଉପ ନିର୍ଦ୍ଦେଶକ ଶ୍ରୀ ଦାସ କହିଛନ୍ତି, ସାମୁଦ୍ରିକ ଥାନା ଅଧିକାରୀଙ୍କ ଅସହଯୋଗ ପାଇଁ ଅବଶିଷ୍ଟ ୧୬ଟି ଟ୍ରଲରକୁ ଜବତ କରିପାରିନଥିଲୁ । ଏ ସମ୍ପର୍କରେ ମେରାଇନ୍ ଥାନାଧିକାରୀ କର୍ମଚାରୀ ଅଭାବ ଯୋଗୁଁ ସବୁ ସମୟରେ ସାମୁଦ୍ରିକ ପାଟ୍ରୋଲିଂ ସମ୍ଭବପର ହେଉନାହିଁ । ଏ ଦିଗରେ ସେ ଯତ୍ନବାନ ହେବେ ବୋଲି ମତପ୍ରକାଶ କରିଛନ୍ତି ।