ନୂଆଦିଲ୍ଲୀ : ଆଗାମୀ ଏସିଆନ୍ ଗେମ୍ସ ପାଇଁ ବ୍ୟାଡ୍ମିଣ୍ଟନ୍ ଟିମ୍ ଚୟନ ସକାଶେ ଭାରତୀୟ ବ୍ୟାଡ୍ମିଣ୍ଟନ୍ ସଂଘ (ବାଇ) ପକ୍ଷରୁ ମେ’ ୪ରୁ ତେଲେଙ୍ଗାନାସ୍ଥିତ ଜ୍ୱାଲା ଗୁଟ୍ଟା ଏକାଡେମୀ ଅଫ୍ ଏକ୍ସିଲେନ୍ସଠାରେ ଟ୍ରାଏଲ୍ ଆରମ୍ଭ ହେବ । ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ରାଏଲ୍ ସକାଶେ ଖେଳାଳି ପଠାଇବାକୁ ବାଇ ପକ୍ଷରୁ ରାଜ୍ୟ ସଂଘଗୁଡ଼ିକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ଆସନ୍ତା ୨୮ ତାରିଖ ସୁଦ୍ଧା ଖେଳାଳିଙ୍କ ନାମ ଦାଖଲ କରିବା ସକାଶେ ସଂଘଗୁଡ଼ିକୁ କୁହାଯାଇଛି ।
ଅଦ୍ୟାବଧି ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳରେ ସିଧାସଳଖ ପିଭି ସିନ୍ଧୁ, ଏଚ୍ଏସ୍ ପ୍ରଣୟ, ସାତ୍ତ୍ୱିକସାଇରାଜ୍ ରାଙ୍କିରେଡ୍ଡୀ-ଚିରାଗ୍ ଶେଟ୍ଟୀ ଯୋଡ଼ି, ଗାୟତ୍ରୀ ଗୋପୀଚାନ୍ଦ-ଜୋଲି ତ୍ରିସା ଯୋଡ଼ି ସ୍ଥାନ ପାଇସାରିଛନ୍ତି । ର୍ୟାଙ୍କିଙ୍ଗ୍ରେ ଶୀର୍ଷ ୨୦ ଖେଳାଳି ମଧ୍ୟରେ ରହିଥିବାରୁ ଏମାନଙ୍କୁ ସିଧାସଳଖ ଦଳରେ ସ୍ଥାନ ମିଳିଛି । କିନ୍ତୁ ୱାର୍ଲ୍ଡ ଚାମ୍ପିଅନ୍ଶିପ୍ର ରୌପ୍ୟ ପଦକ ବିଜେତା କିଦାମ୍ବୀ ଶ୍ରୀକାନ୍ତ ଓ ବ୍ରୋଞ୍ଜ୍ ପଦକ ବିଜେତା ଲକ୍ଷ୍ୟ ସେନ୍ଙ୍କୁ ଟ୍ରାଏଲ୍ ମାଧ୍ୟମରେ ଦଳରେ ସ୍ଥାନ ଅର୍ଜନ କରିବାକୁ ପଡ଼ିବ । ଏହାଛଡ଼ା ଓର୍ଲିନ୍ସ ମାଷ୍ଟର୍ସରେ ଚାମ୍ପିଅନ୍ ହୋଇଥିବା ପ୍ରିୟାଂଶୁ ରଜାୱତ୍ ଓ ପୂର୍ବତନ ସିଙ୍ଗାପୁର ଓପନ୍ ଚାମ୍ପିଅନ୍ ସାଇ ପ୍ରଣୀତ ଏବଂ ମିଥୁନ୍ ମଞ୍ଜୁନାଥ ମଧ୍ୟ ଟ୍ରାଏଲ୍ରେ ଅଂଶଗ୍ରହଣ କରିବେ ।