କୋଲ୍କାତା : ବାୟୋ ବବଲ୍ରେ ରହିବା ଏବଂ ଖେଳିବା ସତ୍ତ୍ୱେ ୮ ଖେଳାଳି ଓ ୩ ଅଫିସିଆଲ୍ କୋଭିଡ୍-୧୯ ସଂକ୍ରମିତ ହେବା ଫଳରେ ଚଳିତ ଆଇ-ଲିଗ୍ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ୍କୁ ଅତିକମ୍ରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ରିୟଲ୍ କଶ୍ମୀର ଏଫ୍ସି (ଆର୍କେଏଫ୍ସି)ର ପାଞ୍ଚଜଣ ଖେଳାଳି ଓ ତିନିଜଣ ଅଫିସିଆଲ୍ଙ୍କ ସମେତ ମହମ୍ମଡାନ୍ ସ୍ପୋର୍ଟିଂ, ଆଇଜଲ୍ ଏଫ୍ସି ଓ ଶ୍ରୀନିଧି ଡେକ୍କାନ୍ ଏଫ୍ସିର ଜଣେ ଲେଖାଏଁ ଖେଳାଳି ମଙ୍ଗଳବାର ହୋଇଥିବା ଆର୍ଟି-ପିସିଆର୍ ଟେଷ୍ଟରେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫଳରେ ବୁଧବାର ଲିଗ୍ କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଏହି ନିଷ୍ପତ୍ତି ନିଆଯାଇଛି ।
ଆଇ-ଲିଗ୍ ଅଧ୍ୟକ୍ଷ ସୁବ୍ରତ ଦତ୍ତ ବୁଧବାରର ବୈଠକ ପରେ କହିଛନ୍ତି, ‘ପରବର୍ତ୍ତୀ ପର୍ଯ୍ୟାୟ (ଡିସେମ୍ବର ୩୦ ଓ ୩୧)ରେ ଖେଳାଯିବାକୁ ଥିବା ମ୍ୟାଚ୍ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯିବ । ଜାନୁଆରୀ ୪ ତାରିଖରେ ସ୍ଥିତିର ସମୀକ୍ଷା କରାଯିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।’ ପ୍ରଥମ ପର୍ଯ୍ୟାୟର ଦୁଇଟି ମ୍ୟାଚ୍ ରବିବାର ଓ ସୋମବାର ଖେଳାଯାଇଥିବା ବେଳେ ତୃତୀୟ ପର୍ଯ୍ୟାୟ ମ୍ୟାଚ୍ ଜାନୁଆରୀ ୪ ଓ ୫ ତାରିଖରେ ହେବାର ଥିଲା । ଅଖିଳ ଭାରତୀୟ ଫୁଟ୍ବଲ୍ ମହସଂଘ (ଏଆଇଏଫ୍ଏଫ୍) ପକ୍ଷରୁ କୁହାଯାଇଛି, ଜାନୁଆରୀ ୪ ତାରିଖ ମ୍ୟାଚ୍ ଖେଳାଯିବା ସମ୍ଭାବନା କମ୍ ।
ଯଦି ଆଉ ପଜିଟିଭ୍ ମାମଲା ଚିହ୍ନଟ ନହୁଏ, ତେବେ ୫ ତାରିଖରେ ମ୍ୟାଚ୍ ଅନୁଷ୍ଠିତ ହୋଇପାରେ । ଆଇ-ଲିଗ୍ର ଏକ ବୟାନରେ କୁହାଯାଇଛି ‘ସମସ୍ତ ସଂକ୍ରମିତ ଆଇସୋଲେସନ୍ରେ ଅଛନ୍ତି ଏବଂ ଏଆଇଏଫ୍ଏଫ୍ ସେମାନଙ୍କ ଉପରେ ନଜର ରଖିଛି । ନିୟମିତ ଭାବେ ଚିକିତ୍ସା ପରାମର୍ଶ ନିଆଯାଉଛି ।’ ଏହି କରୋନା ମାମଲା ନୋଭୋଟେଲ୍ ହୋଟେଲ୍ରୁ ମିଳିଛି । ରବିବାରଠାରୁ ଆରମ୍ଭ ହୋଇଥିବା ଆଇ-ଲିଗ୍ ଟୁର୍ଣ୍ଣାମେଣ୍ଟ୍ ନିମନ୍ତେ ଆୟୋଜକଙ୍କ ପକ୍ଷରୁ ପ୍ରସ୍ତୁତ ୩ଟି ବାୟୋ ବବଲ୍ ମଧ୍ୟରୁ ଏହି ହୋଟେଲ୍ ଅନ୍ୟତମ ।