ଆଡିଲେଡ୍ : ଏଠାରେ ବୁଧବାର ଖେଳାଯାଇଥିବା ପାଞ୍ଚ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ହକି ସିରିଜ୍ର ତୃତୀୟ ମ୍ୟାଚ୍ରେ ଭାରତ ୪-୩ ଗୋଲ୍ରେ ଅଷ୍ଟ୍ରେଲିଆକୁ ହରାଇ ଦେଇଛି । ରୋମାଞ୍ଚକର ମ୍ୟାଚ୍ରେ ୫୯ତମ ମିନିଟ୍ ପର୍ଯ୍ୟନ୍ତ ସ୍କୋର୍ ୩-୩ରେ ସମାନ ରହିଥିଲା । ଅନ୍ତିମ ମିନିଟ୍ରେ ମନଦୀପ୍ ସିଂହଙ୍କ ପାସ୍କୁ ନେଟ୍ରେ ପହଞ୍ଚାଇ ଆକାଶଦୀପ ଭାରତକୁ ବିଜୟୀ କରାଇଛନ୍ତି । ଭାରତ ୬ ବର୍ଷ ପରେ କୌଣସି ହକି ମ୍ୟାଚ୍ରେ ନିର୍ଦ୍ଧାରିତ ୬୦ ମିନିଟ୍ ମଧ୍ୟରେ ଅଷ୍ଟ୍ରେଲିଆକୁ ହରାଇବା ଏହା ପ୍ରଥମ ଘଟଣା । ପ୍ରଥମ ଦୁଇଟି ମ୍ୟାଚ୍ରେ ବିଜୟୀ ହୋଇ ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ୍ ସିରିଜ୍ରେ ୨-୧ରେ ଆଗୁଆ ରହିଛି । ସିରିଜ୍ର ଚତୁର୍ଥ ମ୍ୟାଚ୍ ଡିସେମ୍ବର ୩ ଏବଂ ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ୪ ତାରିଖରେ ଏହି ସମାନ ଭେନ୍ୟୁରେ ହିଁ ଖେଳାଯିବ ।
ମ୍ୟାଚ୍ର ଦ୍ୱାଦଶ ମିନିଟ୍ରେ କ୍ୟାପ୍ଟେନ୍ ହରମନପ୍ରୀତ୍ ସିଂହ ଗୋଲ୍ ସ୍କୋର୍କରି ଭାରତକୁ ଅଗ୍ରଣୀ କରାଇଥିଲେ । ତେବେ ଜ୍ୟାକ୍ ବେଲ୍ଚ ୨୫ତମ ଏବଂ ଏରନ୍ ଜାଲେସ୍କି ୩୨ତମ ମିନିଟ୍ରେ ଗୋଲ୍ କରି ଅଷ୍ଟ୍ରେଲିଆକୁ ୨-୧ର ଆଗୁଆ କରିଦେଇଥିଲେ । ୪୭ତମ ମିନିଟ୍ରେ ଭାରତ ପକ୍ଷରୁ ଅଭିଷେକ ଗୋଲ୍କରି ସ୍କୋର୍ ଲାଇନ୍ ୨-୨ କରିଥିଲେ । ୨-୨ରେ ସ୍ଥିତି ବରାବର ଥିବାବେଳେ ୫୭ତମ ମିନିଟ୍ରେ ଶମଶେର୍ ସିଂହ ଗୋଲ୍କରି ଭାରତକୁ ପୁଣିଥରେ ଗୋଟିଏ ଗୋଲ୍ରେ ଆଗୁଆ କରାଇଥିଲେ । ମାତ୍ର ୫୯ତମ ମିନିଟ୍ରେ ଅଷ୍ଟ୍ରେଲିଆର ନାଥନ୍ ଏନ୍ଫ୍ରାମ୍ସ ଗୋଲ୍କରି ସ୍କୋର୍ ଲାଇନ୍ ବରାବର କରିଥିଲେ । ମ୍ୟାଚ୍ ଡ୍ର’ ଅଭିମୁଖେ ଅଗ୍ରସର ହେଉଥିବା ବେଳେ ଆକାଶଦୀପ ମ୍ୟାଚ୍ର ଅନ୍ତିମ ମିନିଟ୍ରେ ଗୋଲ୍କରି ଭାରତର ବିଜୟ ସୁନିଶ୍ଚିତ କରିଥିଲେ । ଏହା ଦ୍ୱିପାକ୍ଷିକ ସିରିଜ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୨ ମ୍ୟାଚ୍ ପରେ ଭାରତର ପ୍ରଥମ ବିଜୟ । ଦୁଇଟି ଟିମ୍ ଏବେ ସୁଦ୍ଧା ଦ୍ୱିପାକ୍ଷିକ ସିରିଜ୍ରେ ୨୮ ଥର ପରସ୍ପରକୁ ଭେଟିଛନ୍ତି । ଏହା ମଧ୍ୟରୁ ଭାରତ ୮ ଏବଂ ଅଷ୍ଟ୍ରେଲିଆ ୧୭ ମ୍ୟାଚ୍ ଜିତିଛନ୍ତି । ତିନିଟି ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି ।
ଉଭୟ ଟିମ୍ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୧୩୩ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଭାରତ ମାତ୍ର ୨୩ଟିରେ ବିଜୟୀ ହୋଇପାରିଛି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୮୯ ମ୍ୟାଚ୍ରେ ଭାରତକୁ ହରାଇଛି । ଏହା ମଧ୍ୟରେ ୨୧ଟି ମ୍ୟାଚ୍ ଡ୍ର’ ରହିଛି । ଏହି ସିରିଜ୍ ପୂର୍ବରୁ ଅଗଷ୍ଟରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉଭୟ ଟିମ୍ ମୁହାଁମୁହିଁ ହୋଇଥିଲେ । ସେତେବେଳେ ଅଷ୍ଟ୍ରେଲିଆ ୭-୦ ଗୋଲ୍ରେ ଭାରତକୁ ହରାଇଥିଲା ।