ଭୁବନେଶ୍ୱର: ଆଜି ବିଧାନସଭା ଶୀତକାଳିନ ଅଧିବେଶନର ତୃତୀୟ ଦିନ । ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ । ଆଜି ମହିଳା ଶିଶୁ ବିକାଶ, ନିର୍ମାଣ, ପର୍ଯ୍ୟଟନ, ଅବକାରୀ, ମିଶନ ଶକ୍ତି, ଆଇନ୍ ବିଭାଗର ପ୍ରଶ୍ନକାଳ ରହିଛି । ତେବେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପ୍ରଶ୍ନ କରିଛନ୍ତି ଯେ ଆଜି ଆମର ହାଇକୋର୍ଟ, ଜିଲ୍ଲା କୋର୍ଟ ଏବଂ ନିମ୍ନ ଅଦାଲତଗୁଡ଼ିକରେ କାର୍ଯ୍ୟଭାର ଏବଂ ବିଚାରାଧୀନ ମାମଲା ଏବଂ ବ୍ୟାକ-ଲଗ୍ କ’ଣ? ସରକାର ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ଏବଂ ତ୍ୱରାନ୍ୱିତ କରିବା ପାଇଁ କିପରି ଚିନ୍ତା କରୁଛନ୍ତି ?
ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ରାଜ୍ୟର ନ୍ୟାୟପାଳିକାର ସମସ୍ତ ସ୍ତରରେ ନୂତନ ମାମଲା ୪ ଲକ୍ଷ ୫୮ ହଜାର ୪୬୫ଟି କେସ ରୁଜୁ ହୋଇଛି । ସେଥିରୁ ସିଭିଲ କେସ ୭୭୨ ହଜାର, ୭୩୧ ରହିଥିବା ବେଳେ କ୍ରିମିନାଲ କେସ ୩ ଲକ୍ଷ ୮୫ ହଜାର ୭୩୪ ଟି କେସ ରହିଛି ।ଜାନୁୟାରୀ ୨୦୨୫ରୁ ଅକ୍ଟୋବର ୩୧ ଯାଏଁ ୩,୯୯, ୫୮୫ଟି ମାମଲା ସମାଧାନ ହୋଇଛି । ସେଥିରୁ ସିଭିଲ କେସ ୮୦ ହଜାର ୮୪୨ ସମାଧାନ ହୋଇଥିବା ବେଳେ କ୍ରିମିନାଲ କେସ ୩ ଲକ୍ଷ ୧୮ ହଜାର ୭୪୩ କେସ ସମାଧାନ ହୋଇଛି ।










