ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗାରେ ଗତ ୨ ତାରିଖରେ ଦୁର୍ଘଟଣାର ଶିକାର ହୋଇଥିବା ୨୮୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ୱର ଏମ୍ସରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି ଯେ ସବୁ ମୃତଦେହ କେବଳ ଏମ୍ସରେ ରହିବ । ଆମ ପାଖରେ ସବୁ ସାଧନ ଅଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଦ୍ୱାରା ଅନୁମୋଦିତ ୩ କଣ୍ଟେନରରେ ରହିଛି ୪୧ ମୃତଦେହ । ବୁଧବାର ସୁଦ୍ଧା ଆସିପାରେ ଅନ୍ୟ ମୃତଦେହ । ଏପର୍ଯ୍ୟନ୍ତ ୧୨୩ ରୁ ୭୧ ମୃତଦେହକୁ ପରିବାର ଳୋକଙ୍କୁ ହସ୍ତାନ୍ତର ସରିଛି । ୫୨ ମୃତଦେହ ଏବେ ଏମ୍ସରେ ରହିଛି । ଦୁଇ ଜଣ ଗୁରୁତର ଏବେ ସୁସ୍ଥ ଅଛନ୍ତି ।
ସେହିପରି ଏମ୍ସ ହସ୍ପିଟାଲରେ ଆରମ୍ଭ ହୋଇଛି ଡିଏନଏ ଟେଷ୍ଟିଂ ପ୍ରକ୍ରିୟା । ମୃତଦେହ ଚିହ୍ନଟ ପାଇଁ ଡିଏନଏ ନମୁନା ଦେଇଛନ୍ତି ୧୦ରୁ ଅଧିକ ପରିବାର । ରିପୋର୍ଟ ଆସିବା ପରେ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ପୂର୍ବରୁ ସମସ୍ତ ମୃତଦେହରୁ ନମୁନା ସଂଗ୍ରହ କରାଯାଇଛି । ମୃତଦେହଗୁଡିକ କଣ୍ଟେନରରେ ସଂରକ୍ଷିତ ହୋଇ ରହିଛି । ସୂଚନାଯୋଗ୍ୟ, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଯାଇଛି । ଏମାନଙ୍କ ମଧ୍ୟରୁ ୧୭୭ ଜଣଙ୍କ ପରିଚୟ ମିଳିବା ସହ ମୃତଦେହକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ହେଲେ ୧୧୧ ମୃତଦେହ ଚିହ୍ନଟ ହୋଇପାରିନି । କୌଣସି ମୃତଦେହ ଚିହ୍ନଟ ନେଇ ଦ୍ୱନ୍ଦ୍ୱ ଦେଖାଦେଲେ ମୃତଦେହର ଡିଏନଏ ଟେଷ୍ଟ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସେଥିଲାଗି ଭୁବନେଶ୍ୱର ଏମ୍ସ ପରିସରରେ ଡିଏନଏ ଟେଷ୍ଟିଂ ପାଇଁ ସ୍ୱତନ୍ତ୍ର ଡେକ୍ସ ଖୋଲାଯାଇଛି ।