ନୂଆଦିଲ୍ଲୀ : ଲୋକସଭା ପରେ ରାଜ୍ୟସଭାରୁ ନିଲମ୍ବିତ ହେଲେ ୩୪ ସାଂସଦ। ଲଗାତାର ଭାବେ କଂଗ୍ରେସ ସାଂସଦମାନେ ଗୃହରେ ହଟ୍ଟଗୋଳ କରିବାରୁ ଆଜି ତିନି ଥର ଗୃହ ମୁଲତବୀ ରହିଥିଲା। ଶେଷରେ ୩୪ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି। କିଛି ସମୟ ପୂର୍ବରୁ ଲୋକସଭାରୁ ମଧ୍ୟ ୩୪ ଜଣ ସାଂସଦ ନିଲମ୍ବିତ ହୋଇଥିଲେ। ସଂସଦର ସୁରକ୍ଷାରେ ତ୍ରୁଟି ଘଟଣାକୁ ନେଇ ଗୃହରେ ପ୍ରବଳ ହଙ୍ଗାମା କରୁଛନ୍ତି ବିରୋଧୀ। ଡିସେମ୍ବର ୧୪ରେ ୧୩ ଜଣ ଲୋକସଭା ସାଂସଦ ଏବଂ ଜଣେ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା। ଗୃହରେ “ଅସାମ୍ବିଧାନିକ ଆଚରଣ” ଅଭିଯୋଗରେ ସେମାନେ ନିଲମ୍ବିତ ହୋଇଥିଲେ। ବର୍ତ୍ତମାନ ସମାନ ଅଭିଯୋଗରେ ଆଉ ୩୪ ସାଂସଦ ନିଲମ୍ବିତ ହୋଇଛନ୍ତି। ଗୃହରେ ହଟ୍ଟଗୋଳ ସମୟରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦିଶ ଧନଖଡ ସାଂସଦମାନେ ଗୃହର ନିୟମ ଅନୁଯୟୀ ଆଚରଣ କରିବା ଉଚିତ୍ ବୋଲି କହିଛନ୍ତି। ଏଥିସହ ସାଂସଦମାନେ ନିଜକୁ ଦଙ୍ଗାକାରୀ କରନ୍ତୁ ନାହିଁ ବୋଲି ଅଧ୍ୟକ୍ଷ କହିଥିଲେ। ଅନ୍ୟପଟେ ଲୋକସଭାରୁ ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରୁ କଂଗ୍ରେସର ଅଧୀର ଚୌଧୁରୀ, ଡିଏମକେ ସାଂସଦ ଟି ଆର ବାଲୁ ଓ ଦିନାନିଧି ମାରାନ, ଟିଏମସିର ସୌଗତ ରୟ ଥିଲେ।