ଭୁବନେଶ୍ବର: ୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ ତିନି ନାମଲେଖା ପାଇଁ ଦ୍ୱିତୀୟ ପର୍ୟ୍ୟାୟ ଆବେଦନ ପ୍ରକ୍ରିୟା ଗତ ୧୨ ତାରିଖରୁ ଆରମ୍ଭ ହୋଇଛି । ଏହି ଆବେଦନ ପ୍ରକ୍ରିୟା ୨୬ ତାରିଖ ରାତି ୧୧ ଟା ୪୫ ପର୍ୟ୍ୟନ୍ତ ଚାଲିବ । ତେବେ “ଏଥିରେ କେଉଁମାନେ ଆବେଦନ କରିପାରିବେ ଏବଂ ଆବେଦନ କରିପାରିବେ ନାହିଁ ସେ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି ହୋଇଥିଲା । ପ୍ରଥମ ପର୍ୟ୍ୟାୟରେ ଯେଉଁମାନେ ନାମଲେଖାଇ ସାରିଛନ୍ତି, ସେମାନେ ଦ୍ୱିତୀୟ ପର୍ୟ୍ୟାୟରେ ଆବେଦନ କରିପାରିବେ ନାହିଁ, “ବୋଲି ଗାଇଡ଼ଲାଇନରେ ଉଲ୍ଲେଖ ରହିଥିଲା । “ତେବେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏଥିରେ ପରିବତ୍ତର୍ନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଯେଉଁ ଛାତ୍ରୀଛାତ୍ରମାନେ ପ୍ରଥମ ପର୍ୟ୍ୟାୟରେ ନାମଲେଖାଇ ସାରିଛନ୍ତି, ସେମାନେ ମଧ୍ୟ ଦ୍ୱିତୀୟ ପର୍ୟ୍ୟାୟ ଅଂଶଗ୍ରହଣ କରିପାରିବେ” ବୋଲି ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ “ଏକ୍ସ’ ଜରିଆରେ ସୂଚନା ଦିଆଯାଇଛି ।ଉଲ୍ଲେଖଯୋଗ୍ୟ, ରାଜ୍ୟର ୧ ହଜାର ୫୬ଟି ଡିଗ୍ରୀ କଲେଜରେ ଯୁକ୍ତ ତିନି ନାମଲେଖା ପାଇଁ ମୋଟ ୨ ଲକ୍ଷ ୭୪ ହଜାର ୧୫୧ଟି ସିଟ୍ ରହିଛି । ପ୍ରଥମ ପର୍ୟ୍ୟାୟରେ ୧ ଲକ୍ଷ୍ୟ ୭୭ ହଜାର ୬୭୩ ଜଣ ନାମଲେଖାଇଥିବା ବେଳେ ଆଉ ୯୬ ହଜାର ୪୭୮ଟି ସିଟ୍ ଖାଲି ପଡ଼ିଛି । ସିଟ୍ ପୂରଣ କରିବା ପାଇଁ ବିଭାଗ ପକ୍ଷରୁ ଦ୍ୱିତୀୟ ପର୍ୟ୍ୟାୟ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ସେପ୍ଟେମ୍ବର ୨ ତାରିଖରେ ଦ୍ୱିତୀୟ ପର୍ୟ୍ୟାୟ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ମନୋନୀତ ଛାତ୍ରୀଛାତ୍ରମାନେ ୩ ତାରିଖ ସକାଳ ୧୦ ଟାରୁ ୬ ତାରିଖ ସନ୍ଦ୍ୟା ୫ ଟା ଭିତରେ ନାମଲେଖାଇବେ ।