ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ତିନିଜଣ ନବନିଯୁକ୍ତ ବିଚାରପତି ଗୁରୁବାର ଶପଥ ନେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ସେମାନଙ୍କୁ ଶପଥପାଠ କରାଇଛନ୍ତି । ନୂତନ ବିଚାରପତିମାନେ ହେଲେ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମା, ଜଷ୍ଟିସ ଅଗଷ୍ଟାଇନ୍ ଜର୍ଜ ମାଶି ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟା । ଜଷ୍ଟିସ ଶର୍ମା ଏଥିପୂର୍ବରୁ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତିଭାବେ କାର୍ଯ୍ୟ କରୁୁଥିବାବେଳେ ଜଷ୍ଟିସ ମାଶି ଓ ଜଷ୍ଟିସ ମେହେଟ୍ଟା ଯଥାକ୍ରମେ ରାଜସ୍ଥାନ ଓ ଗୁଆହାଟୀ ହାଇକୋର୍ଟ ମୁଖ୍ୟ ବିଚାରପତି ଦାୟିତ୍ୱ ତୁଲାଉଥିଲେ ।
ଏମାନେ ଶପଥ ନେବାପରେ ସୁପ୍ରିମ୍କୋର୍ଟରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ବିଚାରପତିଙ୍କ ସଂଖ୍ୟା ଧାର୍ଯ୍ୟ ୩୪କୁ ବୃଦ୍ଧି ପାଇଛି । ଚଳିତବର୍ଷ ଫେବୃଆରୀରେ ଶେଷଥର ପାଇଁ ସୁପ୍ରିମକୋର୍ଟର ସବୁ ବିଚାରପତି ଆସନ ପୂରଣ ହୋଇଥିଲା । ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଁ କଲେଜିୟମ ଚଳିତମାସ ୬ରେ ଏହି ତିନି ବିଚାରପତିଙ୍କ ନାମ ସୁପାରିସ କରିଥିଲା । କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିବାପରେ ଏମାନେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି ।