ଷ୍ଟକ୍ହୋମ୍: ତିନିଜଣ ପ୍ରଖ୍ୟାତ ବୈଜ୍ଞାନିକ ପିଏରେ ଅଗଷ୍ଟିନି, ଫେରେଙ୍କ୍ କ୍ରଜ୍ ଏବଂ ଆନ୍ନେ ହୁଇଲିଏରଙ୍କୁ ଚଳିତବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ରୟାଲ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ପ୍ରଦତ୍ତ ଏହି ପୁରସ୍କାର ବାବଦରେ ଏମାନଙ୍କୁ ୧୧ ନିୟୁତ ସ୍ୱିଡିଶ୍ କ୍ରୋନ୍ (ପ୍ରାୟ ୧ ନିୟୁତ ଡଲାର) ମିଳିବ । ପିଏରେ ଅଗଷ୍ଟିନି ବର୍ତ୍ତମାନ ଆମେରିକାର ଓହିଓ ଷ୍ଟେଟ୍ ୟୁନିଭର୍ସିଟୀରେ ପ୍ରଫେସରଭାବେ କାର୍ଯ୍ୟରତ ଅଛନ୍ତି । ଫେରେଙ୍କ କ୍ରଜ୍ ବର୍ତ୍ତମାନ ଜର୍ମାନୀର ମ୍ୟାକ୍ସ ପ୍ଲାଙ୍କ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କ୍ୱାଣ୍ଟମ ଅପ୍ଟିକ୍ସରେ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବା ସହ ମ୍ୟୁନିକ୍ସ୍ଥିତ ଲୁଡ୍ୱିଗ୍ ମ୍ୟାକ୍ସିମିଲାନ ୟୁନିଭର୍ସିଟୀରେ ଏକ୍ସପେରିମେଣ୍ଟାଲ ଫିଜିକ୍ସ ପ୍ରଫେସରଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି ।
ଅପରପକ୍ଷରେ ଆନ୍ନେ ହୁଇଲିଏର ସ୍ୱିଡେନର ଲୁଣ୍ଡ୍ ୟୁନିଭର୍ସିଟୀରେ ପ୍ରଫେସର ଅଛନ୍ତି । ପଦାର୍ଥ ବିଜ୍ଞାନରେ ନୋବେଲ ପାଇବାରେ ହୁଇଲିଏର ହେଉଛନ୍ତି ପଞ୍ଚମ ମହିଳା । ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୪ରେ ରସାୟନ ଶାସ୍ତ୍ର, ୫ରେ ସାହିତ୍ୟ, ୬ରେ ଶାନ୍ତି ଏବଂ ୯ରେ ଅର୍ଥଶାସ୍ତ୍ର ପାଇଁ ବିଜେତାଙ୍କ ନାମ ଘୋଷଣା କରାଯିବ । ଆସନ୍ତା ଡିସେମ୍ବର ୧୦ରେ ନରୱେ ରାଜଧାନୀ ଓସ୍ଲୋଠାରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ସମସ୍ତ ବିଜେତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡିଛି ।