ଟେକ୍ସାସ୍: ଆମେରିକାର ଟେକ୍ସାସ୍ ସହରରେ ଘଟିଥିବା ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଏକ ଭାରତୀୟ ବଂଶୋଦ୍ଭବ ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସମ୍ବାଦ ସାମ୍ନାକୁ ଆସିଛି । ୪୫ ବର୍ଷୀୟ ଅରବିନ୍ଦ ମଣି, ତାଙ୍କ ପତ୍ନୀ ୪୦ ବର୍ଷୀୟ ପ୍ରଦୀପା ନିଜ କାର୍ ଯୋଗେ ୧୭ ବର୍ଷୀୟା ଝିଅ ଆଣ୍ଡ୍ରିଲ୍ଙ୍କୁ ଉତ୍ତର ଟେକ୍ସାସ ସ୍ଥିତ ତାଙ୍କ କଲେଜକୁ ଛାଡ଼ିବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଆଣ୍ଡ୍ରିଲ ନିକଟରେ ନିଜର ହାଇସ୍କୁଲ ଶିକ୍ଷା ଶେଷ କରିଥିଲେ ଓ ସେ ଡାଲାସ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ପାଠ୍ୟକ୍ରମ ଜାରି ରଖିଥିଲେ । ତେବେ ଦୁର୍ଘଟଣାରେ ନିଜ ମା’ ବାପା ଓ ଭଉଣୀଙ୍କୁ ଏକସଙ୍ଗେ ହରାଇ ୧୪ ବର୍ଷୀୟ ଆଦିରାୟନ୍ ଏବେ ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛନ୍ତି ।
ଦୁର୍ଘଟଣା ଘଟିବା ଦିନ ଆଦିରାୟନ୍ କୌଣସି କାମ ଯୋଗୁ ଘରେ ରହିଥିଲେ ଏବଂ ପରିବାର ସହ ସେ କାର୍ରେ ଯାଇନଥିଲେ । ସୁତରାଂ ସେ ଏହି ଭୟାବହ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି । ପୁଲିସ୍ ରିପୋର୍ଟ ଅନୁସାରେ ଲାମପାସ କାଉଣ୍ଟି ଅଞ୍ଚଳରେ ଏନ୍ଏଚ୍ ୨୮୧ରେ ଅରବିନ୍ଦ ମଣିଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଅରବିନ୍ଦ ନିଜ କାର ୧୨୦ ଘଣ୍ଟାପ୍ରତି କିମି ବେଗରେ ଚଳାଉଥିବା ବେଳେ ସେମାନଙ୍କୁ ସାମ୍ନା ପଟୁ ଧକ୍କା ଦେଇଥିବା ଅନ୍ୟ ଏକ କାର ମଧ୍ୟ ଘଣ୍ଟାପ୍ରତି ୧୬୦ କିମି ବେଗରେ ଆସୁଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅରବିନ୍ଦଙ୍କ କାର୍ ସଂପୂର୍ଣ୍ଣ ଜଳି ଯାଇଥିଲା । ତେବେ ଏହି ଦୁର୍ଘଟଣାରେ ଧକ୍କା ଦେଇଥିବା କାର୍ର ମାଲିକ ତଥା ଡ୍ରାଇଭର ମଧ୍ୟ ପ୍ରାଣ ହରାଇଛନ୍ତି । ଫଳରେ ଏହି ଦୁର୍ଘଟଣାରେ ମୋଟ୍ ୫ଜଣ ପ୍ରାଣ ହରାଇଛନ୍ତି । ଏହା ଗତ ୨୬ ବର୍ଷ ମଧ୍ୟରେ ଟେକ୍ସାସ ଅଞ୍ଚଳର ସବୁଠାରୁ ଭୟଙ୍କର କାର ଦୁର୍ଘଟଣା ବୋଲି ସ୍ଥାନୀୟ ପୁଲିସ୍ କହିଛି ।
ଅରବିନ୍ଦ ମଣି ଏବଂ ତାଙ୍କ ପରିବାର ଟେକ୍ସାସ୍ର ଲିଆଣ୍ଡର ଅଞ୍ଚଳରେ ରହୁଥିଲେ । ତେବେ ଆଦିରାୟନ୍ଙ୍କ ପାଇଁ ଏବେ ସୋସିଆଲ ମିଡିଆ ଯୋଗେ ଆର୍ଥିକ ସହାୟତା ଠୁଳ କରାଯାଉଛି । ରାଜାରମନ୍ ଭେଙ୍କଟଚଲାମ୍ ନାମକ ଅନ୍ୟତମ ପ୍ରବାସୀ ଭାରତୀୟ ଯିଏକି ଅରବିନ୍ଦଙ୍କ ପରିବାରର ଜଣେ ନିକଟତର, ସେ ଏବେ ଗୋଫଣ୍ଡ୍ମି ନାମରେ ଏକ କ୍ୟାମ୍ପେନ୍ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ଆଦିରାୟନ୍ଙ୍କ ପାଇଁ ପ୍ରାୟ ୮୩୦୦ ଡୋନେସନ୍ରୁ ୪୦୦,୦୦୦ ଡଲାର ଯୋଗାଡ଼ କରିଥିବା ଜଣାପଡିଛି । ଏହି ଅର୍ଥ ଆଦିରାୟନ୍ଙ୍କ ପାଠପଢ଼ା, ଦୈନନ୍ଦିନ ଖର୍ଚ୍ଚ ଏବଂ ଭବିଷ୍ୟତ ପାଇଁ ବ୍ୟବହାର ହେବ ବୋଲି କୁହାଯାଉଛି । ଆଦିରାୟନ୍ ଏବେ ୯ମ ଷ୍ଟାଣ୍ଡାର୍ଡରେ ପଢ଼ୁଥିବା ଜଣାପଡିଛି ।










