ନୂଆଦିଲ୍ଲୀ: ୟୁନାଇଟେଡ୍ ଷ୍ଟେଟ୍ସ କଷ୍ଟମ୍ସ ଆଣ୍ଡ୍ ବର୍ଡର ପ୍ରୋଟେକ୍ସନ ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ୨୦୨୨ ଅକ୍ଟୋବରରୁ ୨୦୨୩ ସେପ୍ଟେମ୍ବର ମଧ୍ୟରେ ୯୬,୯୧୭ ଜଣ ଭାରତୀୟ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛନ୍ତି । ଏହି ଭାରତୀୟଙ୍କ ମଧ୍ୟରୁ ୩୦,୦୧୦ ଜଣ ବେଆଇନ ଭାବେ କାନାଡ଼ା ସୀମା ଦେଇ ଏବଂ ୪୧,୭୭୦ ଜଣ ମେକ୍ସିକୋ ସୀମା ଦେଇ ଆମେରିକାରେ ପ୍ରବେଶ କରିଥିବା ବେଳେ ବାକି ୨୫,୩୧୭ ଜଣଙ୍କୁ ଆମେରିକାର ମୁଖ୍ୟ ଭୂଖଣ୍ଡରେ ପ୍ରବେଶ କରିବା ପରେ ଗିରଫ କରାୟାଇଛି ।
୨୦୧୯-୨୦ ତୁଳନାରେ ଏହି ସଂଖ୍ୟାରେ ୫ ଗୁଣା ବୃଦ୍ଧି ହୋଇଛି । ଏହା ସହିତ ପର୍ଯ୍ୟଟନ କିମ୍ବା ସ୍ଥାୟୀ ଭାବେ ବସବାସ ପାଇଁ ବୈଧ ବିଦେଶ ଯାତ୍ରା ମଧ୍ୟ ବୃଦ୍ଧି ପାଇଛି । ପର୍ଯ୍ୟଟନ ମନ୍ତ୍ରଣାଳୟର ୨୦୨୨-୨୩ର ବାର୍ଷିକ ରିପୋର୍ଟ ସୂଚାଉଛି ଯେ ଦୁଇ କୋଟିରୁ ଅଧିକ ଭାରତୀୟ ସେମାନଙ୍କ ଛୁଟି କଟାଇବା ପାଇଁ ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳୀ ଚୟନ କରିଛନ୍ତି ।
ଏହାବ୍ୟତୀତ ତିନି କୋଟିରୁ ଅଧିକ ଭାରତୀୟ ଏବେ ବିଦେଶରେ ବସବାସ କରୁଛନ୍ତି । ଏହି ବ୍ୟକ୍ତି ବିଶେଷଙ୍କୁ ସାଧାରଣତଃ “ବିଦେଶୀ ଭାରତୀୟ’ କୁହାଯାଇଥାଏ । ବୈଦେଶିକ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଏବେ ବିଦେଶରେ ୩,୨୧,୦୦,୩୪୦ ଲୋକ ବସବାସ କରୁଛନ୍ତି । ଏହା ମଧ୍ୟରୁ ୧,୩୪,୫୯,୧୯୫ ଜଣ ପ୍ରବାସୀ ଭାରତୀୟ (ଏନ୍ଆର୍ଆଇ) ଏବଂ ୧,୮୬,୮୩,୬୪୫ ଜଣ ଭାରତୀୟ ବଂଶୋଦ୍ଭବ (ପିଆଇଓ) ସାମିଲ ।
ତଥ୍ୟ ଅନୁସାରେ ୟୁନାଇଟେଡ୍ ଆରବ ଏମିରେଟ୍ସରେ ସର୍ବାଧିକ ୩୪ ଲକ୍ଷ ପ୍ରବାସୀ ଭାରତୀୟ (ଏନ୍ଆର୍ଆଇ) ଥିବାବେଳେ ସାଉଦୀ ଆରବରେ ୨୬ ଲକ୍ଷ ଏବଂ ଆମେରିକାରେ ୧୨.୮ ଲକ୍ଷ ରହିଛନ୍ତି । ତେବେ ଆଶ୍ଚର୍ଯ୍ୟର ବିଷୟ, ଆମେରିକାରେ ସର୍ବାଧିକ ୩୧.୮ ଲକ୍ଷ ଭାରତୀୟ ବଂଶୋଦ୍ଭବ (ପିଆଇଓ) ବସବାସ କରୁଥିବା ବେଳେ ମାଲେସିଆରେ ୨୭.୬୦ ଲକ୍ଷ ଏବଂ ମ୍ୟାଁମାରରେ ୨୦ ଲକ୍ଷ ଅଛନ୍ତି ।
ଉଲ୍ଲେଖଯୋଗ୍ୟ, ଦକ୍ଷିଣ ଆଫ୍ରିକା, ଫିଜି, ସିଙ୍ଗାପୁର, ଗାଏନା, ସୁରିନାମ୍ ଏବଂ ଇଣ୍ଡୋନେସିରେ ଅଧିକ ସଂଖ୍ୟକ ଭାରତୀୟ ବଂଶୋଦ୍ଭବ ବସାବାସ କରୁଥିବା ଦେଖିବାକୁ ମିଳେ । ବ୍ରିଶିଟ୍ ଶାସନ ବେଳେ ସେଠାକାର ବଗିଚାରେ କାମ କରାଇବା ପାଇଁ ବଳପୂର୍ବକ ଏହି ଭାରତୀୟମାନଙ୍କୁ ଏହି ଦେଶଗୁଡ଼ିକୁ ନିଆଯାଇଥିଲା । ପରେ ଏହି ଭାରତୀୟମାନେ ଆଉ ନିଜ ଦେଶକୁ ଫେରିନଥିଲେ ।