ଭୁବନେଶ୍ୱର: +୩ ପ୍ରଥମ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟ ଓ ସେଲ୍ଫ ଫାଇନାସିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଶୁକ୍ରବାର ପ୍ରକାଶ ପାଇଛି । କଳାରେ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ବାରପଦା ମହାରାଜା ପୂର୍ଣ୍ଣଚନ୍ଦ୍ର ଡିଗ୍ରୀ କଲେଜ ପିଲାଙ୍କ ପ୍ରଥମ ପସନ୍ଦ ରହିଛି । ରାଜନୀତି ବିଜ୍ଞାନ ସମ୍ମାନରେ ସର୍ବାଧିକ ୯୧.୮୩ ପ୍ରତିଶତ କଟଅଫ୍ ମାର୍କ ସହ ଉଭୟ ଶିକ୍ଷାନୁଷ୍ଠାନ ପିଲାଙ୍କ ଶୀର୍ଷରେ ରହିଛି । ଫିଜିକାଲ ସାଇନ୍ସରେ ୯୪.୫୦ ପ୍ରତିଶତ କଟ ଅଫ୍ ମାର୍କ ସହିତ ପୁରୀ ସାମନ୍ତ ଚନ୍ଦ୍ରଶେଖର(ଏସସିଏସ) କଲେଜ ଶୀର୍ଷରେ ରହିଛି । ବାୟୋଲୋଜିକାଲ ସାଇନ୍ସରେ ମଧ୍ୟ ଏସସିଏସ୍ କଲେଜ ୯୫.୬୦ ପ୍ରତିଶତ କଟଅଫ୍ ମାର୍କ ସହ ଆଗରେ ରହିଛି ।
ତେବେ ବାଣିଜ୍ୟରେ ୮୬.୮୩ କଟଅଫ୍ ମାର୍କ ସହ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଆଗେରେ ରହିଛି । ସେହିପରି ଉପଶାସ୍ତ୍ରୀ ବିଭାଗ(ସର୍ବଦର୍ଶନ) ରେ ଦଶପଲ୍ଲା ମଧ୍ୟଖଣ୍ଡସ୍ଥିତ ପ୍ରଦୀପ୍ତ ରାୟ ସଂସ୍କତ ଡିଗ୍ରୀ କଲେଜ ୬୯.୪୩ ପ୍ରତିଶତ କଟଅଫ୍ ମାର୍କ ସହ ଆଗରେ ରହିଛି । ତେବେ ସେଲ୍ଫ ଫାଇନାନ୍ସିଂରେ ବକ୍ସି ଜଗବନ୍ଧୁ ବିଦ୍ୟାଧର(ବିଜେବି) କଲେଜ ୯୦.୪୦ ପ୍ରତିଶତ ମାର୍କ ସହ ଶୀର୍ଷରେ ରହିଛି । ୨ୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୨୭ ତାରିଖରେ ଏବଂ ଅଗଷ୍ଟ ୯ ତାରିଖରେ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବ । ସେହିପରି କଲେଜଗୁଡ଼ିକର ଅବଶିଷ୍ଟ ଆସନରେ ନାମ ଲେଖାଇବା ପାଇଁ ଅଗଷ୍ଟ ୨୧ ଚତୁର୍ଥ ପର୍ଯ୍ୟାୟ ଏବଂ ସେପ୍ଟେମ୍ବର ୧ରେ ପଞ୍ଚମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ସେପ୍ଟେମ୍ବର ୧୩ରେ ନାମ ଲେଖା ପାଇଁ ଶେଷ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ।
୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ୧୦୪୨ ଡିଗ୍ରୀ କଲେଜର ୨ ଲକ୍ଷ ୭୦ହଜାର ୫୪୭ ସିଟ ରହିଥିବାବେଳେ ୨ ଲକ୍ଷ ୨୩ ହଜାର ୩୬୪ ଜଣ ଅନଲାଇନ୍ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧ଲକ୍ଷ ୭୪ହଜାର ୧୯୫ ଜଣ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୨ ହଜାର ୧୫ ଜଣ ଛାତ୍ରୀ, ୭୨ହଜାର ୧୬୩ ଜଣ ଛାତ୍ର ଏବଂ ଅନ୍ୟ ବର୍ଗର ୧୭ ଜଣ ମନୋନୀତ ହୋଇଛନ୍ତି । ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧ଲକ୍ଷ ୫୭ ହଜାର ୧୦୩ ଜଣ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପରିଚାଳିତ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଆବେଦନକାରୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪୯ ହଜାର ୧୧୫ ଜଣ ନାମଲେଖା ମନୋନୀତ ହୋଇନାହାନ୍ତି ।
କଳାରେ ସର୍ବାଧିକ ୧ଲକ୍ଷ ୪୯ ହଜାର ୧୮୫ଜଣ ଆବଦେନ କରିଥିବାବେଳେ ୧ଲକ୍ଷ ୮ ହଜାର ୪୮୩ ଜଣ ମନୋନୀତ ହୋଇଛନ୍ତି । ବାଣିଜ୍ୟରେ ୧୯ ହଜାର ୯୮୩ ଜଣ ଆବେଦନ କରିଥିବାବେଳେ ୧୭ ହଜାର ୨୧୭ ଜଣ ମନୋନୀତ ହୋଇଛନ୍ତି । ସେହିପରି ଫିଜିକାଲ ସାଇନ୍ସରେ ୩୯ ହଜାର ୯୮୨ ଜଣ ଆବେଦ କରିଥିବାବେଳେ ୨୪ ହଜାର ୩୩୯ ଜଣ ମନୋନୀତ ହୋଇଛନ୍ତି । ଅନ୍ୟପଟେ ବାୟୋଲୋଜିକାଲ ସାଇନ୍ସରେ ୪୦ ହଜାର ୨୪୦ ଜଣ ଆବେଦନ କରିଥିବାବେଳେ ୧୮, ୯୧୯ ଜଣ ମନୋନୀତ ହୋଇଛନ୍ତି । ସେଲ୍ଫ ଫାଇନାନ୍ସିଂରେ ୬ ହଜାର ୭୭୧ ଜଣ ଆବେଦନ କରିଥିବାବେଳେ ୧ଲକ୍ଷ ୩୬୭ ଜଣ ମନୋନୀତ ହୋଇଛନନ୍ତି । ଉପଶାସ୍ତ୍ରୀ ବିଭାଗରେ ୫ ହଜାର ୬୭ ଜଣ ଆବେଦନ କରିଥିବାବେଳେ ୩ ହଜାର ୮୭୦ ଜଣ ମନୋନୀତ ହୋଇଛନ୍ତି ।