19.1 C
Bhubaneswar
Monday, November 25, 2024
Homeଖେଳଆଜି ନ୍ୟୁଜିଲାଣ୍ଡ୍ ବିପକ୍ଷ ଦ୍ୱିତୀୟ ଦିନିକିଆ: ଭାରତ ପାଇଁ ‘କର ବା ମର’ ସ୍ଥିତି

ଆଜି ନ୍ୟୁଜିଲାଣ୍ଡ୍ ବିପକ୍ଷ ଦ୍ୱିତୀୟ ଦିନିକିଆ: ଭାରତ ପାଇଁ ‘କର ବା ମର’ ସ୍ଥିତି

ହାମିଲଟନ୍ : ଚଳିତ ନ୍ୟୁଜିଲାଣ୍ଡ୍ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ବୃହତ୍ ୭ ୱିକେଟ୍‌ରେ ପରାଜୟ ବରଣ କରିଥିବା ଭାରତ ରବିବାର ଏଠାରେ ଦ୍ୱିତୀୟ ମ୍ୟାଚ୍ ଖେଳିବ । ଘରୋଇ ଦଳ ୧-୦ରେ ଅଗ୍ରଣୀ ଲାଭ କରିସାରିଥିବାରୁ ଏହି ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ବଞ୍ଚାଇବା ସକାଶେ ଭ୍ରମଣକାରୀ ଦଳ ଆଗରେ ‘କର ବା ମର’ ସ୍ଥିତି ଉପୁଜିଛି । ସିରିଜ୍ ବଞ୍ଚାଇବାକୁ ହେଲେ ଭ୍ରମଣକାରୀ ଦଳକୁ ଏହି ମ୍ୟାଚ୍‌ଟି ଯେନତେନ ପ୍ରକାରେଣ ଜିତିବାକୁ ପଡ଼ିବ । ଏଥିସକାଶେ ଦଳକୁ ନିଜର ସମସ୍ତ ତ୍ରୁଟିବିଚ୍ୟୁତି ତୁରନ୍ତ ସୁଧାରିନେବାର ଆବଶ୍ୟକତା ରହିଛି । ସାମାନ୍ୟତମ ତ୍ରୁଟି ଭାରତ ପାଇଁ ମହଙ୍ଗା ପଡ଼ିବ ଓ ଘରୋଇ ଦଳ ସିରିଜ୍ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି ।

ପ୍ରଥମ ଦିନିକିଆରେ ଭାରତର ବୋଲିଂ ଲାଇନ୍ ଦୁର୍ବଳତା ପୁଣିଥରେ ପଦାରେ ପଡ଼ିଛି । ନ୍ୟୁଜିଲାଣ୍ଡ୍ ଅଧିନାୟକ କେନ୍ ୱିଲିୟମ୍‌ସନ୍ ଓ ଟମ୍ ଲାଥାମ୍ ଏହାର ସୁଯୋଗ ନେଇ ୨ଶହରୁ ଊର୍ଦ୍ଧ୍ୱ ରନ୍‌ର ପାର୍ଟନରଶିପ୍ କରି ଦଳକୁ ସହଜ ବିଜୟ ଦେଇଥିଲେ । ଏହି ମ୍ୟାଚ୍‌ରେ ଡେବ୍ୟୁ କରିଥିବା ଦୁଇ ପେସର୍ ଅର୍ଶଦୀପ ସିଂହ ଓ ଉମରାନ୍ ମଲିକ ସେମାନଙ୍କ କୋଟାରେ ୫୦ରୁ ଊର୍ଦ୍ଧ୍ୱ ଲେଖାଏଁ ରନ୍ ବ୍ୟୟ କରିଥିଲେ । ରିଷ୍ଟ୍ ସ୍ପିନର୍ ୟୁଜବେନ୍ଦ୍ର ଚହଲ୍ ସମ୍ପୂର୍ଣ୍ଣ ଭାବେ ଫିକା ନଜର ଆସିଥିଲେ । ଭାରତୀୟ ବୋଲରଙ୍କ ପ୍ରଭାବଶୂନ୍ୟ ପ୍ରଦର୍ଶନ କାରଣରୁ ନ୍ୟୁଜିଲାଣ୍ଡ୍ ଘରୋଇ ମାଟିରେ କ୍ରମାଗତ ତ୍ରୟୋଦଶ ବିଜୟ ହାସଲ କରିଥିଲା । ତା’ଛଡ଼ା ଦଳ ଭାରତ ବିପକ୍ଷରେ କ୍ରମାଗତ ପଞ୍ଚମ ବିଜୟ ଅର୍ଜନ କରିଥିଲା । ତେଣୁ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଘରୋଇ ଦଳ ଦୃଢ଼ ମାନସିକତା ସହ ପଡ଼ିଆକୁ ଓହ୍ଲାଇବ ।

ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆ ପକ୍ଷରୁ ପ୍ରଥମ ଦିନିକିଆରେ ଅର୍ଦ୍ଧଶତକ ହାସଲ କରିଥିବା ଅଧିନାୟକ ଶିଖର ଧୱନ୍‌, ଶ୍ରେୟସ୍ ଆୟର୍ ଓ ଶୁବମାନ ଗିଲ୍‌ଙ୍କୁ ସେମାନଙ୍କ ଫର୍ମ କାଏମ ରଖିବାକୁ ପଡ଼ିବ । ଗତ ମ୍ୟାଚ୍‌ରେ ଅଧିନାୟକ ଧୱନ୍ ୫ ଜଣ ସ୍ପେଶାଲିଷ୍ଟ୍ ବୋଲରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରିଥିଲେ ହେଁ ତାହା ଲାଭଦାୟକ ସାବ୍ୟସ୍ତ ହୋଇନଥିଲା । ବିଶେଷକରି ପେସର୍ ଶାର୍ଦ୍ଦୁଲ୍ ଠାକୁର ଫର୍ମରେ ନ ଥିବା ପରିଲକ୍ଷିତ ହୋଇଥିଲା । ତେଣୁ ତାଙ୍କ ସ୍ଥାନରେ ଦୀପକ ଚହରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯିବାର ସମ୍ଭାବନା ରହିଛି । ନିଜର ଗତି ପାଇଁ ଚର୍ଚ୍ଚାରେ ଥିବା ଉମରାନ୍ ୨ଟି ୱିକେଟ୍ ନେଇଥିଲେ ମଧ୍ୟ ତାଙ୍କୁ ନିଜର ଲେନ୍‌ଥ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ ।
ମ୍ୟାଚ୍‌ରେ ବର୍ଷା ହେବାର ୯୦ ପ୍ରତିଶତ ପର୍ଯ୍ୟନ୍ତ ସମ୍ଭାବନା ରହିଥିବା ସ୍ଥାନୀୟ ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସମ୍ଭାବ୍ୟ ଭାରତୀୟ ଏକାଦଶ: ଶିଖର ଧୱନ୍ (ଅଧିନାୟକ), ଶୁବମାନ ଗିଲ୍‌, ଋଷଭ ପନ୍ତ୍ (ୱିକେଟ୍‌କିପର୍‌), ଶ୍ରେୟସ୍ ଆୟର୍‌, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମ୍‌ସନ୍‌, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ୍ ଠାକୁର/ଦୀପକ ଚହର୍‌, ଉମରାନ୍ ମଲିକ, ଅର୍ଶଦୀପ ସିଂହ ଓ ୟୁଜବେନ୍ଦ୍ର ଚହଲ୍ ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ୍ ଏକାଦଶ: ଫିନ୍ ଆଲେନ୍‌, ଡେଭନ୍ କୋନ୍‌ୱେ, କେନ୍ ୱିଲିଅମ୍‌ସନ୍ (ଅଧିନାୟକ), ଟମ୍ ଲାଥାମ୍ (ୱିକେଟ୍‌କିପର୍‌), ଡାରିଲ୍ ମିଚେଲ୍‌, ଗ୍ଲେନ୍ ଫିଲିପ୍‌ସ, ମିଚେଲ୍ ସାଣ୍ଟନର୍‌, ଆଡାମ୍ ମିଲ୍‌ନେ, ମ୍ୟାଟ୍ ହେନ୍‌ରୀ, ଟିମ୍ ସାଉଦି ଓ ଲକି ଫର୍ଗୁସନ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking