ଲର୍ଡ୍ସ : ଚଳିତ ଆଶେସ୍ ସିରିଜ୍ର ଦ୍ୱିତୀୟ ଟେଷ୍ଟ୍ ବୁଧବାରଠାରୁ ଏଠାରେ ଆରମ୍ଭ ହେଉଥିବା ବେଳେ ମ୍ୟାଚ୍ର ଦିନକ ପୂର୍ବରୁ ଘରୋଇ ଇଂଲଣ୍ଡ ତା’ର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି । ଗତ ସପ୍ତାହରେ ଏଜ୍ବାଷ୍ଟନ୍ଠାରେ ୨ ୱିକେଟ୍ରେ ପରାଜୟ ବରଣ କରିଥିବା ଦଳରେ ମାତ୍ର ଗୋଟିଏ ପରିବର୍ତ୍ତନ କରାଯାଇଛି ।
ଅଲ୍ରାଉଣ୍ଡର୍ ମୋଇନ୍ ଅଲୀ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଟିମ୍ ମ୍ୟାନେଜ୍ମେଣ୍ଟ୍ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ସ୍ୱରୂପ ଯୁବ ପେସର୍ ଜୋଶ୍ ଟଙ୍ଗ୍ଙ୍କୁ ସାମିଲ୍ କରିଛି । ଅବଶ୍ୟ ଚଳିତ ମାସ ପ୍ରାରମ୍ଭରେ ଆୟର୍ଲାଣ୍ଡ୍ ବିପକ୍ଷରେ ଏଠାରେ ଟେଷ୍ଟ୍୍ ଡେବ୍ୟୁ କରିଥିବା ଟଙ୍ଗ୍ ୬୬ ରନ୍ରେ ୫ଟି ୱିକେଟ୍ ନେଇ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ।
ତାଙ୍କ ପେସ୍ ଓ ବାଉନ୍ସ ଭ୍ରମଣକାରୀ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ମାନଙ୍କୁ ସମସ୍ୟାରେ ପକାଇବ ବୋଲି ଆଶା କରି ଅଧିନାୟକ ବେନ୍ ଷ୍ଟୋକ୍ସ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଇଛନ୍ତି । କିନ୍ତୁ ଆଶେସ୍ ପରି ଏକ ଗୁରୁତ୍ୱପୂର୍ଣ୍ଣ ସିରିଜ୍ରେ ୨୫ ବର୍ଷୀୟ ଅନଭିଜ୍ଞ ବୋଲର୍ଙ୍କୁ ସୁଯୋଗ ଦେବା ନିଷ୍ପତ୍ତିକୁ କ୍ରିକେଟ୍ ଏକ୍ସପର୍ଟ ଗ୍ରହଣ କରିପାରିନାହାନ୍ତି । ଟଙ୍ଗ୍ ୨୦୧୭ରେ ଭବିଷ୍ୟତର ତାରକା ବୋଲର୍ ଭାବେ ଚିହ୍ନଟ ହୋଇଥିଲେ ମଧ୍ୟ କ୍ରମାଗତ ଆଘାତଜନିତ କାରଣରୁ ସେ ଅନ୍ତର୍ଜାତୀୟ ମ୍ୟାଚ୍ଠାରୁ ଦୂରେଇ ରହିଥିଲେ । ତେଣୁ ତାଙ୍କୁ ସୁଯୋଗ ଦେଇ ଷ୍ଟୋକ୍ସ ରିସ୍କ ନେଇଥିବା ଏକ୍ସପର୍ଟ ମତ ଦେଇଛନ୍ତି । ଅନ୍ୟପକ୍ଷରେ ୩୬ ବର୍ଷୀୟ ମୋଇନ୍ଙ୍କର ଲର୍ଡ୍ସରେ ରେକର୍ଡ ବେଶ୍ ଭଲ ରହିଛି । ସେ ଏଠାରେ ୪ଟି ମ୍ୟାଚ୍ ଖେଳି ୨୦.୧୪ ହାରରେ ୧୪ଟି ୱିକେଟ୍ ନେଇଛନ୍ତି । କିନ୍ତୁ ଗତ ଟେଷ୍ଟ୍ରେ ସେ ଆଙ୍ଗୁଠିରେ ଆଘାତ ପାଇଥିବାରୁ ତାଙ୍କୁ ସପ୍ତାହେ ବିଶ୍ରାମ ଦେବା ସପକ୍ଷରେ ଟିମ୍ ମ୍ୟାନେଜ୍ମେଣ୍ଟ୍ ନିଷ୍ପତ୍ତି ନେଇଛି । ମୋଇନ୍ଙ୍କ ସ୍ଥାନରେ ରେହାନ୍ ଅହମ୍ମଦଙ୍କୁ ଦଳରେ ସାମିଲ୍ କରାଯାଇଥିଲେ ମଧ୍ୟ ଅଧିନାୟକ ଷ୍ଟୋକ୍ସ ବୋଲିଂ ପାଇଁ ସମ୍ପୂର୍ଣ୍ଣ ଫିଟ୍ ନ ଥିବାରୁ ପେସ୍ ବିଭାଗକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟରେ ଟଙ୍ଗ୍ଙ୍କୁ ଚତୁର୍ଥ ପେସର୍ ଭାବେ ସାମିଲ୍ କରାଯାଇଛି ।