ପୁଣେ: ପାକିସ୍ତାନୀ ଏଜେଣ୍ଟକୁ ଗୁପ୍ତ ଦଲିଲ ଯୋଗାଇଥିବା ଅଭିଯୋଗରେ ମହାରାଷ୍ଟ୍ର ପୁଲିସ ମେ’ ୩ରେ ପୁଣେ ସହରରୁ ପ୍ରଦୀପ କୁରୁଲକର ନାମକ ଡିଆରଡିଓ (ପ୍ରତିରକ୍ଷା ଗବେଷଣା ଓ ଅନୁସନ୍ଧାନ ସଂସ୍ଥା)ର ଜଣେ ବୈଜ୍ଞାନିକଙ୍କୁ ଗିରଫ କରିଛି । ଜାମିନ ନାମଞ୍ଜୁର ହେବାପରେ ପ୍ରଦୀପଙ୍କୁ ଚଳିତମାସ ୨୯ ପର୍ଯ୍ୟନ୍ତ ହାଜତକୁ ପଠାଯାଇଛି । ହାଜତରେ ତାଙ୍କୁ ଜରୁରୀ ଔଷଧ ଓ ଘରରନ୍ଧା ଖାଦ୍ୟ ଯୋଗାଇବାକୁ ପ୍ରଦୀପ କୋର୍ଟଙ୍କୁ ଅନୁରୋଧ କରିଥିଲେ ।
ତେବେ ବିଚାରପତି କେବଳ ଔଷଧ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଗିରଫ ପରେ ପୁଲିସ ତାଙ୍କୁ ଜେରା ପାଇଁ ମଙ୍ଗଳବାର ପର୍ଯ୍ୟନ୍ତ ରିମାଣ୍ଡରେ ନେଇଥିଲା । ପ୍ରଦୀପ ହ୍ୱାଟସ୍ଆପ୍ ଓ ଭିଡିଓ କଲ୍ ଜରିଆରେ ପାକିସ୍ତାନୀ ଏକେଣ୍ଟଙ୍କ ସହ ସମ୍ପର୍କ ସ୍ଥାପନ କରିଥିବାବେଳେ ସେମାନଙ୍କୁ ଡିଆରଡିଓର ଗୋପନୀୟ ତଥ୍ୟ ପ୍ରଦାନ କରୁଥିବାର ପ୍ରମାଣ ମିଳିଛି । ଏପରିକି ଅତୀତରେ କୂଟନୈତିକ ପାସପୋର୍ଟ ବଳରେ ସେ ୫/୬ଟି ବିଦେଶୀ ରାଷ୍ଟ୍ରକୁ ମଧ୍ୟ ଗସ୍ତ କରିଛନ୍ତି ।