20.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଜରୁରୀ ତାଲିକାରୁ ହଟିଲା ୨୬ ଔଷଧ

ଜରୁରୀ ତାଲିକାରୁ ହଟିଲା ୨୬ ଔଷଧ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମଙ୍ଗଳବାର ଏନ୍‌ଏଲଇଏମ୍ (ନ୍ୟାସନାଲ ଲିଷ୍ଟ ଅଫ୍ ଏସେନ୍ସିଆଲ ମେଡିସିନ୍‌ସ) ତାଲିକାରୁ ୨୬ଟି ଔଷଧକୁ ବାଦ ଦେଇଛନ୍ତି । ଅପରପକ୍ଷରେ ୩୪ଟି ନୂଆ ଔଷଧକୁ ସାମିଲ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତାଲିକାରୁ ଜଣାପଡିଛି । ଫଳରେ ତାଲିକାରେ ବର୍ତ୍ତମାନ ୩୮୪ଟି ଅନୁମୋଦିତ ଔଷଧ ସ୍ଥାନ ପାଇଛି । ତାଲିକାରେ ସଂଶୋଧନ କରାଯାଇଥିବାରୁ ଲୋକେ ବର୍ତ୍ତମାନ ସୁଲଭ ମୂଲ୍ୟରେ ଆଣ୍ଟିବାଓଟିକ୍‌, ଟିକା ଓ କ୍ୟାନସର ନିରୋଧୀ ଔଷଧ ପାଇପାରିବେ ବୋଲି କୁହାଯାଇଛି । ତାଲିକାରୁ ବାଦପଡିଥିବା ଔଷଧ ମଧ୍ୟରେ ରାନିଟିଡାଇନ୍‌, ସୁକ୍ରାଲଫେଟ୍‌, ହ୍ୱାଇଟ୍ ପେଟ୍ରୋଲାଟମ୍‌, ଆଟେନୋଲୋଲ ଏବଂ ମିଥାଇଲଡୋପା ଭଳି ଔଷଧ ସାମିଲ ରହିଥିବା ପ୍ରକାଶ ।

ସଂପୃକ୍ତ ଔଷଧର ମୂଲ୍ୟ ଏବଂ ଏହା ତୁଳନାରେ ମାର୍କେଟରେ ଅଧିକ ଉନ୍ନତ ମାନର ଔଷଧର ଉପଲବ୍ଧୀକୁ ଦୃଷ୍ଟିରେ ରଖି ଏହି ୨୬ଟି ଔଷଧକୁ ତାଲିକାରୁ ବାଦ ଦିଆଯାଇଥିବା କୁହାଯାଇଛି । ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟୀ ଦ୍ୱାରା ୩୮୪ଟି ଅନୁମୋଦିତ ଔଷଧର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଦ୍ୱାରା ପ୍ରସ୍ତାବିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଲୋକଙ୍କ ଆବଶ୍ୟକତାକୁ ଅଗ୍ରାଧିକାର ଦେଉଥିବା ଔଷଧଗୁଡିକୁ ହିଁ ଜରୁରୀ ଔଷଧର ମାନ୍ୟତା ପ୍ରଦାନ କରାଯାଇଥାଏ । ଏଭଳି ଔଷଧ ଉନ୍ନତ ମାନର ହୋଇଥିବାବେଳେ ବର୍ଷ ତମାମ୍ ମାର୍କେଟରେ ମିଳୁଥାଏ ଏବଂ ଏହାର ମୂଲ୍ୟ ମଧ୍ୟ ଲୋକଙ୍କୁ ସୁହାଇଥାଏ ।

୧୯୭୭ରେ ପ୍ରଥମ ଥର ‘ହୁ’ ପକ୍ଷରୁ ଏଭଳି ଜରୁରୀ ଔଷଧ ତାଲିକା ପ୍ରକାଶ ପାଇଥିଲା । ଏହି ତାଲିକାରେ ସେତେବେଳେ ୧୮୬ଟି ଔଷଧକୁ ସାମିଲ କରାଯାଇଥିଲା । ୧୯୮୫ରେ ଏହି ତାଲିକାକୁ ସରକାରୀଭାବେ ସ୍ୱୀକୃତି ପ୍ରଦାନ କରାଯାଇଥିବାବେଳେ ଏହାର ଗୁଣାତ୍ମକ ଉତ୍ପାଦନ, ବିତରଣ ଏବଂ ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା । ଜରୁରୀ ତାଲିକାଭୁକ୍ତ କରିବା ପୂର୍ବରୁ ସଂପୃକ୍ତ ଔଷଧର ଏକାଧିକ ବିଶେଷତ୍ୱକୁ ବିଚାରକୁ ନିଆଯାଇଥାଏ । (୧) ପ୍ରଥମେ ଏହାର ଜରୁରୀ ଆବଶ୍ୟକତା । କୌଣସି ଦୂରାରୋଗ୍ୟ ରୋଗ ପାଇଁ ସଂପୃକ୍ତ ଔଷଧ ଆବଶ୍ୟକ ହୋଇଥିଲେ ସୁଦ୍ଧା ଲୋକସଂଖ୍ୟା ଦୃଷ୍ଟିରୁ ଏହା ସବୁ ମାନଦଣ୍ଡକୁ ପୂରଣ କରିପାରୁଥିବ । (୨) ଦେଶରେ ସାଧାରଣତଃ ଦେଖାଯାଉଥିବା ଜଟିଳ ରୋଗ ପାଇଁ ଉଦ୍ଦିଷ୍ଟ ଔଷଧକୁ ତାଲିକାଭୁକ୍ତ କରାଯାଇଥାଏ ।

(୩) ଡାକ୍ତରୀ ବିଦ୍ୟା ଅନୁଯାୟୀ ସଂପୃକ୍ତ ଔଷଧ ଫଳପ୍ରଦାନକାରୀ ସାବ୍ୟସ୍ତ ହେବା ଆବଶ୍ୟକ । ପୁନଶ୍ଚ ଏଭଳି ଔଷଧ ସେବନ କରିବା ଦ୍ୱାରା ରୋଗୀ ସୁରକ୍ଷିତ ରହିବା ସହ ସାଂଘାତିକ ପାଶ୍ୱର୍ ପ୍ରତିକ୍ରିୟାର ସମ୍ମୁଖୀନ ହେଉନଥିବେ । ଅପରପକ୍ଷରେ ତାଲିକାରୁ ବାଦ ପଡୁଥିବା ଔଷଧ ପାଇଁ ମଧ୍ୟ ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଛି । ଯେଉଁ ଔଷଧ ରୋଗୀଙ୍କ ପାଇଁ ଅସୁରକ୍ଷିତ ଏବଂ ଏହାର ବିକ୍ରିକୁ ରଦ୍ଦ କରାଯାଇଛି, ସେଭଳି ଔଷଧ ତାଲିକାରୁ ବାଦ ପଡିଥାଏ । ଯେଉଁ ଔଷଧ ଅତ୍ୟନ୍ତ ଦାମିକା ଏବଂ ସାଧାରଣ ଲୋକ ଏହାକୁ କିଣିବାକୁ ଅକ୍ଷମ, ସେଭଳି ଔଷଧକୁ ମଧ୍ୟ ଏଭଳି ଦଶା ଭୋଗିବାକୁ ପଡିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking