ନୂଆଦିଲ୍ଲୀ: ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଛୁରୀ ଭୁସି ଦେଲେ ଦୁର୍ବୃତ୍ତ । ଏଭଳି ଅମାନବୀୟ ଘଟଣା ଘଟିଛି ଗୁରୁଗାଓଁ ଠାରେ । ଏଠାକାର ଡିଏଲ୍ଏଫ୍ ଫେଜ୍ ୩ ଅଞ୍ଚଳରେ ଦୁଇ ଜଣ ଲୋକ ଜଣେ ୨୪ ବର୍ଷୀୟ ମହିଳାଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ମାରିବାକୁ ଛୁରୀ ଭୁସିଦେଇଛନ୍ତି । ସୋମବାର ରାତିରେ ଡିଏଲ୍ଏଫ୍ ଫେଜ୍ ୩ର ନାଥୁପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ପୋଲିସର କହିବାନୁସାରେ, ପୀଡ଼ିତାକୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ଥିତି ଏବେ ଗମ୍ଭୀର ଅଛି । ଏଣୁ ତାଙ୍କ ବୟାନ ବି ନିଆଯାଇ ପାରୁନାହିଁ । ପୀଡ଼ିତାଙ୍କ ଅଟୋ ରିକ୍ସା ଚାଳକ ସ୍ୱାମୀ ଏ ନେଇ ଡିଏଲ୍ଏଫ୍ ଫେଜ୍-୩ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ମଙ୍ଗଳବାର ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାଯାଇଛି । ପୀଡ଼ିତାଙ୍କ ସ୍ୱାମୀଙ୍କ ଅଭିଯୋଗ ମୁତାବକ, ସୋମବାର ରାତିରେ ତାଙ୍କୁ ତାଙ୍କ ପତ୍ନୀ ଫୋନ୍ କରି କାନ୍ଦି କାନ୍ଦି କହିଥିଲେ ଯେ ୨ ଜଣ ଅଜଣା ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିବା ସହ ଛୁରୀ ଭୁସି ଦେଇଛନ୍ତି ।
ସେ କେଉଁଠାରେ ଅଛନ୍ତି ବି କହିପାରି ନଥିଲେ । ପରେ ମୋ ସ୍ତ୍ରୀ ମୋତେ ଘରକୁ ଆସିବାକୁ କହିଥିଲେ । ମୁଁ ଘରକୁ ଫେରିବା ବେଳେ ସ୍ତ୍ରୀ ରକ୍ତାକ୍ତ ଅବସ୍ଥାରେ ନଗ୍ନ ହୋଇ ତଳେ ପଡ଼ିଥିଲେ । ସେ କହିଥିଲେ ଯେ ତାଙ୍କ ସହ ୨ ଜଣ ଲୋକ ବଳାତ୍କାର କରିଛନ୍ତି ଓ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ଛୁରୀ ଭୁସି ଦେଇଛନ୍ତି । ଏ ନେଇ ପୀଡ଼ିତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସହାୟତାରେ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୋଲିସର କହିବାନୁସାରେ, ପୀଡ଼ିତା ଏବେ ବୟାନ ଦେବା ସ୍ଥିତିରେ ନାହାନ୍ତି ।
ପୀଡ଼ିତାଙ୍କ ସ୍ୱାମୀଙ୍କ ଅଭିଯୋଗ ଆଧାରରେ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ପୋଲିସ କହିଛି ଯେ ସେ ବିହାରର ନିବାସୀ ଅଭିଯୁକ୍ତ ଅନୀଲ ଠାକୁରଙ୍କୁ ଗିରଫ କରିଛନ୍ତି ଓ ତଦନ୍ତ ଜାରି ରହିଛି । ଗୁରୁଗ୍ରାମ୍ ପୋଲିସ କମିଶନର କଳା ରାମଚନ୍ଦ୍ରନ କହିଛନ୍ତି-ଆମେ ଜଣେ ଅଭିଯୁକ୍ତକୁ ଗିରଫ କରିଛୁ ଓ ଏବେ ତାକୁ ପଚରାଉଚରା କରୁଛୁ । ଖୁବ୍ ଶୀଘ୍ର ଅନ୍ୟ ଜଣଙ୍କୁ ବି ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ପୋଲିସ । ଅନ୍ୟପଟେ ମହିଳାଙ୍କ ଅବସ୍ଥା ଏବେ ବି ଗୁରୁତର ଥିବା ଡାକ୍ତର କହିଛି ।