ଇସ୍ଲାମ୍ବାଦ୍ : ଉତ୍ତର ପାକିସ୍ତାନରେ ଭୀଷଣ ତୁଷାରପାତ ଯୋଗୁ ଚାଲି ଯାଇଛି ୨୩ ପର୍ଯ୍ୟଟକଙ୍କ ଜୀବନ । ଏହି ପର୍ଯ୍ୟଟକମାନେ ତୁଷାରପାତ ହେଉଥିବା ବେଳେ ନିଜ ଗାଡ଼ି ଭିତରେ ଘଣ୍ଟା ଘଣ୍ଟା ଧରି ଫସି ରହିଥିଲେ । ପଞ୍ଜାବ ପ୍ରଦେଶ ରାୱଲପିଣ୍ଡିର ମୁରି ସହରକୁ ବହୁ ସଂଖ୍ୟକ ପର୍ଯ୍ୟଟକ ଆସିଥିଲେ ଏବଂ ଏହି ସମୟ ମଧ୍ୟରେ ସେଠାରେ ପ୍ରବଳ ତୁଷାରପାତ ଆରମ୍ଭ ହୋଇ ଯାଇଥିଲା, ଯେଉଁ କାରଣରୁ ଗାଡିଗୁଡ଼ିକ ଅଟକି ରହିଥିଲା । ଆଉ ଏପଟେ ଏଭଳି ସ୍ଥିତିରେ ପ୍ରଶାସନ ଏକଦମ୍ ଅସହାୟ ହୋଇ ପଡିଥିଲା । ପାକିସ୍ତାନର ପ୍ରସିଦ୍ଧ ପାହାଡ଼ିଆ ପର୍ଯ୍ୟଟନସ୍ଥଳୀ ମୁରିରେ ବର୍ତ୍ତମାନ କିଛି ଦିନ ହେବ ଭୀଷଣ ତୁଷାରପାତ ହେଉଛି । ଏଥିରେ ଫସି ରହି ୨୩ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଏପଟେ ଦେଶର କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧୁରୀ ଏ ଘଟଣାକୁ ନେଇ ଅତ୍ୟନ୍ତ ଲଜ୍ଜାଜନକ ବୟାନ ଦେଇଛନ୍ତି । ଫୱାଦ ଚୌଧୁରୀ କହିଛନ୍ତି ଯେ ‘ସରକାର ଏବଂ ପ୍ରଶାସନ ଫସି ରହିଥିବା ଲୋକଙ୍କ ପାଇଁ କିଛି କରି ପାରିବେ ନାହିଁ । ଲୋକମାନଙ୍କୁ ନିଜ କମନ୍ ସେନ୍ସର ବ୍ୟବହାର କରିବା ଉଚିତ’ । ପାକିସ୍ତାନ ସରକାର ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ନେଇ ଦୁଃଖ ଓ ସମବେଦନା ଜଣାଇବା ପରିବର୍ତ୍ତେ ଏଭଳି ଏକ ଲଜ୍ଜାଜନକ ବିବୃତ୍ତି ଦେଇଛନ୍ତି । ପାକିସ୍ତାନ କେନ୍ଦ୍ର ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି ଯେ ‘ବଞ୍ଚିବାର ଅଛି ଯଦି ଘରେ ରୁହନ୍ତୁ । ଏତେ ଖର୍ଚ୍ଚ କରିବା ପରିବର୍ତ୍ତେ ଯଦି ଆପଣ ବରଫର ମଜା ଉଠାଇବାକୁ ଚାହୁଁଛନ୍ତି, ତା’ ହେଲେ ସ୍ନୋ ସ୍ପ୍ରେ କିଣନ୍ତୁ ଏବଂ ଘରେ ହିଁ ପରସ୍ପର ଉପରକୁ ସ୍ପ୍ରେ କରନ୍ତୁ । ସବୁ ଜିନିଷ ପାଇଁ ପ୍ରଶାସନ ନାହିଁ, ନିଜ କମନ୍ ସେନ୍ସର ମଧ୍ୟ ବ୍ୟବହାର କରିବା ଉଚିତ’ । ସେଠାରେ ଏବେ ବି କିଛି ଯାନବାହନ ଫସି ରହିଛି । ଆଉ ଏହି କାରଣରୁ ସରକାର ରାଜଧାନୀ ଇସଲାମାବାଦଠାରୁ ୬୪ କିଲୋମିଟର ଉତ୍ତର-ପୂର୍ବରେ ଅବସ୍ଥିତ ମୁରିକୁ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ଭାବରେ ଘୋଷଣା କରିଛନ୍ତି । ମୁରିରେ ପ୍ରାଣ ହରାଇଥିବା ୨୩ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣେ ୪ ବର୍ଷର ବାଳିକା ମଧ୍ୟ ଅଛି । ପ୍ରବଳ ତୁଷାରପାତ ଯୋଗୁ ପର୍ଯ୍ୟଟକମାନେ ଥଣ୍ଡା ଓ ନିମୋନିଆ କବଳକୁ ଆସି ଯାଇଥିଲେ । ଗାଡ଼ିଗୁଡ଼ିକ ଫସି ରହିଥିବାରୁ ସେହି ସମୟରେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଯିବା ସମ୍ଭବପର ନ ଥିଲା, ଯେଉଁ କାରଣରୁ ୨୩ ଜଣଙ୍କର ମୃତ୍ୟୁ ଘଟିଥିଲା ।