28.1 C
Bhubaneswar
Sunday, October 6, 2024
Homeଓଡିଶା୨୦୨୩-୨୪ ବଜେଟ ମୁଖ୍ୟାଂଶ; ରାଜସ୍ୱ ବିଭାଗରେ ନିଯୁକ୍ତି ପାଇବେ ୫ହଜାର କର୍ମଚାରୀ

୨୦୨୩-୨୪ ବଜେଟ ମୁଖ୍ୟାଂଶ; ରାଜସ୍ୱ ବିଭାଗରେ ନିଯୁକ୍ତି ପାଇବେ ୫ହଜାର କର୍ମଚାରୀ

ଭୁବନେଶ୍ୱର: ରାଜସ୍ୱ ବିଭାଗରେ କର୍ମଚାରୀ ଅଭାବ ଦୂର କରିବା ପାଇଁ ୫୦୦୦ ନୂଆ କର୍ମଚାରୀଙ୍କୁ ନିଯୁକ୍ତ କରାଯିବ । ଆରଆଇ, ଏଆରଆଇ ଭଳି ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯିବ । ଭିତ୍ତିଭୂମି ସୁଦୃଢ଼ ଉପରେ ବିଭାଗ ଗୁରୁତ୍ୱ ଦେଉଛି । ଚଳିତ ଥର ୪୩୧ ଆରଆଇ ଅଫିସ ନିର୍ମାଣ ପାଇଁ ବିଭାଗ ନିଷ୍ପତ୍ତି ନେଇଛି । ସେହିଭଳି ଚଳିତ ବର୍ଷ ୫୪୫ ଓଏଏସ/ଓଆରଏସ୍ ପଦବୀ ପୂରଣ ହେବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଗତ ୨୦୨୩-୨୪ ମସିହା ବଜେଟର ମୁଖ୍ୟାଂଶ ସମ୍ପର୍କରେ ସୂଚନା ଦେଇ ଶ୍ରୀମତୀ ମଲ୍ଲିକ ଏହା କହିଛନ୍ତି ।

ଏହାଛଡ଼ା ସେ କହିଛନ୍ତି ଯେ ଭୂରାଜସ୍ୱ ପ୍ରଶାସନରେ ସମୁଦାୟ ଭାବେ ୧୫୮୬.୭୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ତନ୍ମଧ୍ୟରୁ ୧୧୬୪.୭୧ କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ ଏବଂ ୪୨୨.୦୧ କୋଟି ଟଙ୍କା ପ୍ରୋଗ୍ରାମ ଖର୍ଚ୍ଚ ପାଇଁ ବ୍ୟବସ୍ଥା କରାଯାଇଛି । ରାଜସ୍ୱ କ୍ଷେତ୍ର କାର୍ଯ୍ୟାଳୟର ଭିତ୍ତିଭୂମିକୁ ମଜଭୁତ କରିବାକୁ ବଜେଟରେ ୨୫୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ରାଜସ୍ୱ କାର୍ଯ୍ୟାଳୟର ସୂଚନା ଓ ପ୍ରଯୁକ୍ତି ଭିତ୍ତିଭୂମିକୁ ମଜଭୁତ କରିବା ପାଇଁ ୫୯.୭୩ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ରେକର୍ଡ ରୁମରେ ଆସବାବପତ୍ର ପାଇଁ ୫ କୋଟି ଟଙ୍କାର ବଜେଟ କରାଯାଇଛି । ପଞ୍ଜୀକରଣ କାର୍ଯ୍ୟାଳୟମାନଙ୍କରେ ଅଧିକ ସ୍ୱଚ୍ଛତା ପାଇଁ ସ୍ମାର୍ଟ ସର୍ଭେଲାନ୍ସ ସିଷ୍ଟମ ପରି ପରିବର୍ତ୍ତନଶୀଳ ପଦକ୍ଷେପ ଆରମ୍ଭ କରାଯାଇଛି । ସେହିଭଳି ସୁବିଧାରେ ପଞ୍ଜୀକରଣ ପାଇଁ ପଞ୍ଜୀକରଣ କାର୍ଯ୍ୟାଳୟରେ ଅନଲାଇନ୍ ସ୍ଲଟ୍ ବୁକିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି ।

ରେଜିଷ୍ଟ୍ରେସନ୍ ଅଫିସରେ ଏହି ଆଇଟି ପଦକ୍ଷେପ ନିମନ୍ତେ ୨୯.୨୮ କୋଟିର ବ୍ୟୟ ଅଟକଳ କରାଯାଇଛି । ସରକାରୀ ଜମିର ସୁରକ୍ଷା ନିମନ୍ତେ ୨୦ କୋଟି ଟଙ୍କା ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି । ୫-‘ଟି’ ଓ ‘ମୋ ସରକାର’ ନିମନ୍ତେ ୫୦ ଲକ୍ଷ ଏବଂ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ସେବାଗୁଡିକୁ ଲୋକମାନଙ୍କୁ ଜଣାଇବା ଉଦ୍ଦେଶ୍ୟରେ ୯୨.୨୦ ଲକ୍ଷ ବ୍ୟୟ ଅଟକଳ ହୋଇଥିବା ବେଳେ ରାଜସ୍ୱ ନିରୀକ୍ଷକଙ୍କ ତାଲିମ ନିମନ୍ତେ ୫୦ ଲକ୍ଷର ବ୍ୟୟ ଅଟକଳ, ମାନବ ସମ୍ବଳ ନିଯୁକ୍ତ କରିବା ପ୍ରକ୍ରିୟା ନିମିତ୍ତ ୩୨ ଲକ୍ଷର ଖର୍ଚ୍ଚ ବ୍ୟବସ୍ଥା, ସର୍ଭେ ଓ ମ୍ୟାପ ପ୍ରକାଶନ ନିମନ୍ତେ ୨୦ ଲକ୍ଷର ଖର୍ଚ୍ଚ, ଜମିଦାରୀ ଉଚ୍ଛେଦ ନିମନ୍ତେ ଜମି ମାଲିକଙ୍କୁ କ୍ଷତିପୂରଣ ହିସାବରେ ୫୫.୭୫ ଲକ୍ଷର ବ୍ୟବସ୍ଥା ହୋଇଥିବା ବେଳେ ଜନଗଣନା ନିମନ୍ତେ ସେଣ୍ଟ୍ରାଲ ସ୍କିମ ମାଧ୍ୟମରେ ୫୫ କୋଟିର ବ୍ୟୟ ବରାଦ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହି ଅବସରରେ ଉପସ୍ଥିତ ରହି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଥିଲେ ଯେ ବାସିନ୍ଦା ଏବଂ ଆୟ ପ୍ରମାଣପତ୍ରର ସମୟସୀମାକୁ ୧୫ ଦିନରୁ ୧୦ ଦିନକୁ ହ୍ରାସ କରାଯାଇଛି । ବିନା ମୂଲ୍ୟରେ ଏବଂ ସ୍ୱ-ଘୋଷଣା ଉପରେ ଆଧାର କରି ବିବିଧ ଏବଂ ଜାତି ପ୍ରମାଣପତ୍ର ବିତରଣ କରିବାକୁ ବିଭାଗ ବିହିତ ପଦକ୍ଷେପ ନେଇଛି । ଗତ ୩ ବର୍ଷରେ ୫-‘ଟି’ ଚାର୍ଟର ପ୍ରବର୍ତ୍ତନ ପରେ ସ୍ୱ-ଘୋଷଣା ଆଧାରରେ ପ୍ରାୟ ୫୦ ଲକ୍ଷ ବାସିନ୍ଦା ଏବଂ ଆୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ନଭେମ୍ବର ୨୦୨୨ ମାସରୁ ୮୦ ଟି ତହସିଲରେ ଭର୍ଚୁଆଲ୍ କୋର୍ଟ ଆରମ୍ଭ ହୋଇଛି ଏବଂ ପ୍ରାୟ ୩,୦୦୦ ମାମଲା ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ଶୁଣାଣି ପରେ ଫଇସଲା ହୋଇଛି । ଏପ୍ରିଲ୍ ୨୦୨୩ ସୁଦ୍ଧା ସମସ୍ତ ତହସିଲରେ ଭର୍ଚ୍ଚୁଆଲ୍ କୋର୍ଟ ଆରମ୍ଭ କରିବାକୁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ସାହୁ କହିଥିଲେ ।

ବିପର୍ଯ୍ୟୟ ପରିଚାଳନା ସଂପର୍କରେ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ନିକୁଞ୍ଜବିହାରୀ ଧଳ କହିଲେ ଯେ ବିପର୍ଯ୍ୟୟ ପରିଚାଳନା ଏବଂ ବିପଦ ହ୍ରାସ ପାଇଁ ୨୦୨୩-୨୪ ବର୍ଷ ନିମନ୍ତେ ରାଜ୍ୟ ବଜେଟରେ ୩୭୬୪.୨୮ କୋଟି ଟଙ୍କାର ପ୍ରାବଧାନ କରାଯାଇଛି । ରିଲିଫ୍ ଏବଂ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ୯୪୩.୨୦ କୋଟି ଟଙ୍କା, ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ନିମନ୍ତେ ୭୦୭.୪୦ କୋଟି ଟଙ୍କା, ବିପର୍ଯ୍ୟୟ ମୁକାବିଲା ବାହିନୀର ଦକ୍ଷତା ବୃଦ୍ଧି, ବିପର୍ଯ୍ୟୟ ପରିଚାଳନା ଯୋଜନା ଓ ପ୍ରସ୍ତୁତି କାର୍ଯ୍ୟକ୍ରମ ନିମନ୍ତେ ୨୩୫.୮୦ କୋଟି ଟଙ୍କା, ବିପର୍ଯ୍ୟୟ ନିରୋଧି ଭିତ୍ତିଭୂମି ନିମନ୍ତେ ୪୭୧.୬୦ କୋଟି ଟଙ୍କା, ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ନିମନ୍ତେ ୧୩୪୨.୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏତଦ୍ ବ୍ୟତୀତ ଯୋଜନା ବ୍ୟୟ ବାବଦକୁ ୩୦.୦୦ କୋଟି ଟଙ୍କା ଓ ପ୍ରଶାସନିକ ଖର୍ଚ୍ଚ ନିମନ୍ତେ ୩୪.୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking