କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଯୋଡ଼ା ଥାନା ଅଞ୍ଚଳରେ ୨୦୧୮ ମସିହାରେ ଘଟି ଯାଇଥିବା ବହୁଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଘଟଣାର ସୋମବାର ରାୟ ପ୍ରକାଶ ପାଇଛି । କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ପକ୍ସୋ କୋର୍ଟର ବିଚାରପତି ଡ ଅନୀଲ କୁମାର ଦତ୍ତ ଅଭିଯୁକ୍ତ ତପନ କିଶୋର ପିଙ୍ଗୁଆକୁ ୨୦ ବର୍ଷ ଜେଲ, ୨୦ ହଜାର ଟଙ୍କା ଜୋରିମାନା ଆଦେଶ ସହିତ ପୀଡ଼ିତାଙ୍କୁ ୪ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ ୨୦୧୮ ଅଗଷ୍ଟ ସନ୍ଧ୍ୟାବେଳେ ଯୋଡ଼ା ଥାନା ଅଞ୍ଚଳର ରମଜାନ ହାଟିଂର ଜଣେ ୧୦ବର୍ଷିୟା ନାବାଳିକାକୁ ତପନ କିଶୋର ପିଙ୍ଗୁଆ (୨୭) ପ୍ରଲୋଭନ ଦେଖାଇ ତାଙ୍କ ଘର ପାଖ ଜଙ୍ଗଲକୁ ଡାକି ନେଇଥିଲେ । ସେଠାରେ ନାବାଳିକାଟିକୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ ।
ନାବାଳିକାଟି ଏ ବାବଦରେ ଘରେ ପ୍ରକାଶ କରିବାରୁ ପରିବାର ପକ୍ଷରୁ ଯୋଡ଼ା ଥାନାରେ ଏତଲା ଦିଆଯାଇଥିଲା । ଏତଲାକୁ ଭିତ୍ତି କରି ଯୋଡ଼ା ଥାନାରେ ପସ୍କୋ ଆକ୍ଟ ଅନୁସାରେ ଅଭିଯୁକ୍ତକୁ ଗିରଫ କରି ତଦନ୍ତକାରୀ ଅଧିକାରୀ ମୁଦାଲାକୁ କୋର୍ଟଚାଲାଣ କରିଥିଲେ । ଏହି ମାମଲାର ବିଚାର ଚାଲିଥିବାବେଳେ ୧୬ ଜଣ ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ତପନ କିଶୋର ପିଙ୍ଗୁଆକୁ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ୱତନ୍ତ୍ର ପସ୍କୋ କୋର୍ଟର ବିଚାରପତି ଡ. ଅନୀଲ କୁମାର ଦତ୍ତ ୨୦ ବର୍ଷ ଜେଲ, ୨୦ ହଜାର ଟଙ୍କା ଜୋରିମାନା, ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ ଆଦେଶ ଦେଇଛନ୍ତି । ଏଥିସହ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ନିମନ୍ତେ କୋର୍ଟ ତାଙ୍କ ଆଦେଶରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ପକ୍ଷରୁ ପକ୍ସୋ କୋର୍ଟର ସ୍ୱତନ୍ତ୍ର ପିପି ଗଣେଶ ପ୍ରସାଦ ମହାପାତ୍ର ପରିଚାଳନା କରୁଥିଲେ ବୋଲି ଜଣାପଡ଼ିଛି ।