କେନ୍ଦୁଝର: ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ଆଜି ଜଣେ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅପରାଧିକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧକ ୧ବର୍ଷ ଜେଲଦଣ୍ଡ ହୋଇଛି । ସୂଚନା ଅନୁଯାୟୀ, ୨୦୧୯ ଅଗଷ୍ଟ ୧୩ ତାରିଖରେ କେନ୍ଦୁଝର ସଦର ଥାନା ମହାଦେବପୁର ଗାଁ ଦାଣ୍ଡରେ ସେହି ଗ୍ରାମର ଜଣେ ୯ବର୍ଷର ନାବାଳିକା ଖେଳୁଥିଲା । ଏହି ସମୟରେ ସେହି ଗ୍ରାମର ଚୈତନ୍ୟ ମହାନ୍ତ(୫୫) ଛେଳି ନେଇ ଯାଉଥିଲେ । ତେବେ ଛେଳି ଧରିବା ପାଇଁ କହି ନାବାଳିକାକୁ ଡାକିଥିଲେ । ନାବାଳିକା ତାଙ୍କୁ ଚିହ୍ନି ଥିବାରୁ ତାଙ୍କ କଥାରେ ଛେଳି ଧରିବା ପାଇଁ ଚାଲି ଯାଇଥିଲା । ତେବେ ତାକୁ ଏକାକୀ ପାଇ ଚୈତନ୍ୟ ଦୁଷ୍କର୍ମ କରିଥିଲା । ଏଥିସହିତ ଏ ସମ୍ପର୍କରେ କାହାରିକୁ କିଛି ନକହିବା ପାଇଁ ଧମକ ଦେଇ ଚାଲି ଯାଇଥିଲା । ନାବାଳିକା ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ପହଞ୍ଚିବାରୁ ତାଙ୍କ ମା’ କ’ଣ ହୋଇଛି ବୋଲି ପଚାରିଥିଲେ ।
ସେ ଘଟଣା ସମ୍ପର୍କରେ ସବୁ କହିଥିଲା । ତେଣୁ ତାଙ୍କ ମା’ ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରିଥିଲା । ସଦର ଥାନା ରୁଜୁ କରିଥିଲା । ଅଭିଯୋଗକୁ ଭିତ୍ତି କରି ପୁଲିସ ଚୈତନ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି କେସ୍ରେ ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ମାନସ କୁମାର ମିଶ୍ର ୧୫ ଜଣ ସାକ୍ଷୀଙ୍କ ବୟାନକୁ ଆଧାରକରି ଚୈତନ୍ୟକୁ ୨୦ବର୍ଷ ସଶ୍ରମ ଜେଲଦଣ୍ଡ ସହିତ ୨୦ ହଜାର ଟଙ୍କା ଜୋରିମାନା କରିଥିଲେ । ଜୋରିମାନା ଅନାଦେୟ ଅଧିକ ୧ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କହିଥିଲେ । ସେହିପରି ପୀଡ଼ିତାଙ୍କୁ ୪ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହି କେସ୍କୁ ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି ଜ୍ଞାନେନ୍ଦ୍ରନାଥ ଜେନା ଓ ଏପିପି ପ୍ରଫୁଲ୍ଲ ପାତ୍ର ପରିଚାଳନା କରୁଥିଲେ । ପୀଡ଼ିତା ନାବାଳିକାକୁ ଆଇନ ସହାୟତା କେନ୍ଦ୍ରରୁ ଏହି ୪ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।