ଭୁବନେଶ୍ୱର : ଆଜି ଗୋଟିଏ ଦିନରେ ଦୁଇଟି ହାତୀ ଛୁଆଙ୍କର ମୃତ୍ୟୁ ହୋଇଛି । ଚନ୍ଦକା ଗୋଡ଼ିବାରିରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ ହୋଇଥିବାବେଳେ ଶିମିଳିପାଳରେ ଆଉ ଏକ ହାତୀ ଛୁଆର ମୃତ୍ୟୁ ହୋଇଛି । ଚନ୍ଦକା ଗୋଡ଼ିବାରିରେ ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ ହୋଇଛି । ମୃତ ହାତୀ ଛୁଆଟିର ବୟସ ପ୍ରାୟ ୩ବର୍ଷ ହେବ । ହାତୀ ଛୁଆଟି ବଲାଙ୍ଗିର ଜିଲ୍ଲା ଦେଓଗାଁରୁ ଚନ୍ଦକାକୁ ଆସିଥିଲା । କିଛି ଦିନ ତଳେ ସେ ଅସୁସ୍ଥ ହୋଇପଡ଼ିଥିଲା । ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଗୋଡ଼ିବାରି ହାତୀ ପ୍ରଶିକ୍ଷଣ କେନ୍ଦ୍ର ନିକଟରେ ତାର ଚିକିତ୍ସା କରାଯାଉଥିଲା । ତାର ପାଟିରେ ଘାଆ ହୋଇଥିବାରୁ ସେ କିଛି ଖାଇ ପିଇ ପାରୁ ନ ଥିଲା । ସପ୍ତାହେ ହେବ ନନ୍ଦନକାନନ ଓ ଓୟୁଏଟିର ସ୍ୱତନ୍ତ୍ର ଟିମ୍ ତାର ଚିକିତ୍ସା କରୁଥିଲେ । ସବୁ ଚେଷ୍ଟା ସତ୍ତ୍ୱେ ହାତୀ ଛୁଆଟି ଆଖିବୁଜିଛି । ଆଜି ତାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଚନ୍ଦକା ଡିଏଫଓ ଶରତ ଚନ୍ଦ୍ର ବେହେରା କହିଛନ୍ତି ।
ଅନ୍ୟପକ୍ଷରେ ଶିମିଳିପାଳର ସାଉଥ ଡିଭିଜନ ଜେନାବିଲ ରେଞ୍ଜ ନିକଟରେ ଏକ ହାତୀ ଛୁଆର ମୃତ ଦେହ ପଡ଼ିଥିବାର ଦେଖିବାକୁ ମିଳିଛି । ହାତୀର ବୟସ ଏକ ବର୍ଷ ହେବ ବୋଲି ଜଣାପଡ଼ିଛି । ମୃତ୍ୟୁର କାରଣ ଜଣା ପଡ଼ି ନ ଥିବା ବେଳେ ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।