ଭୁବନେଶ୍ୱର: ସଡକ ଦୁର୍ଘଟଣାରେ ଚିକିଟ ପାତିସୋନପୁରର ଦୁଇ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି । ଦୁଃଖଦ ଦୁର୍ଘଟଣାରେ ପ୍ରାଣହାନି ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ସିଏମଆରଏଫରୁ ସହାୟତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ଆଜି ଭୋର ସମୟରେ ଚିକିଟିରୁ ଜଣେ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ବିଶାଖାପାଟଣା ନେଉଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଆନ୍ଧ୍ର ପ୍ରଦେଶର ନନ୍ଦିଗାମ ଜାତୀୟ ରାଜପଥରେ କାର୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନେ ବର୍ତ୍ତମାନ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି ।










