33.1 C
Bhubaneswar
Saturday, October 5, 2024
Homeଅପରାଧଦୋକାନ ଭିତରେ ବନ୍ଧୁକ ଦେଖାଇ ୨ ଭାଇଙ୍କୁ ଲୁଟ୍‌

ଦୋକାନ ଭିତରେ ବନ୍ଧୁକ ଦେଖାଇ ୨ ଭାଇଙ୍କୁ ଲୁଟ୍‌

ଭୁୁବନେଶ୍ୱର: ପାର୍ବଣ ପୂର୍ବରୁ କମିସନେରଟ୍‌ ପୁଲିସ ଅପରାଧୀମାନଙ୍କୁ ଖୋଜିଖୋଜି ବାନ୍ଧୁଛି ବୋଲି ଦାବି କରୁଛି। କିନ୍ତୁ ଏମିତି ସମୟରେ ପୁରୁଣା ଭୁବନେଶ୍ବରରେ ଘଟିଛି ଏକ ଅବିଶ୍ବସନୀୟ ଲୁଟ୍‌। ରାତି ପ୍ରାୟ ୧୦ଟା ବେଳେ ଏକ ଦୋକାନରେ ପଶି ଜଣେ ବନ୍ଧୁକଧାରୀ ଦୁଇ ଭାଇଙ୍କଠାରୁ ଦୁଇଟି ଚେନ୍‌ ଓ ଗୋଟିଏ ବ୍ରେସ୍‌ଲେଟ୍‌(ମୋଟ୍‌ ୫୪ ଗ୍ରାମ୍‌) ଲୁଟି ନେଇଛି। ଜନଗହଳିପୂର୍ଣ୍ଣ ବିବେକାନନ୍ଦ ମାର୍ଗ ରାମକୃଷ୍ଣ ମିସନ୍‌ ଲାଇବ୍ରେରି ନିକଟରେ ଘଟିଛି ଏହି ଲୁଟ୍‌। ଲୁଟ୍‌ର ଶିକାର ଦୁଇ ଭାଇ ସତ୍ୟାନନ୍ଦ ସୁବୁଦ୍ଧି ଓ ତାଙ୍କ ଭାଇ ଶତୃଘ୍ନ ଏନେଇ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରି ଦୁର୍ବୃତ୍ତକୁ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି। ସତ୍ୟାନନ୍ଦଙ୍କ ଅଭିଯୋଗ ଅନୁସାରେ ଗତକାଲି ରାତି ପ୍ରାୟ ୧୦ଟା ବାଜିସାରିଥିଲା। ସେ ଓ ତାଙ୍କ ଭାଇ ଶତୃଘ୍ନ ଦୋକାନ ବନ୍ଦ କରିବାକୁ ପ୍ରସ୍ତୁତ ହେଉଥିଲେ। ହଠାତ୍ ଦୋକାନ ଭିତରକୁ ଜଣେ ଯୁବକ ପଶିଆସିଥିଲା। ମୁହଁରେ କପଡ଼ା ବାନ୍ଧିଥିବା ଯୁବକ ପ୍ରଥମେ ସତ୍ୟାନନ୍ଦଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଦେଲା। ଏତିକିବେଳେ ଶତୃଘ୍ନ ପ୍ରତିରୋଧ କରିବାକୁ ଉଦ୍ୟମ କରିବା ଦେଖି ଦୁର୍ବୃତ୍ତ ଧମକାଇଥିଲା। ଚୁପ୍‌ଚାପ ଠିଆ ନହେଲେ ଗୁଳି ଚଳାଇଦେବ ବୋଲି କହିଥିଲା। ଏହାପରେ ସେ ଚେନ୍‌ ଓ ବ୍ରେସ୍‌ଲେଟ୍‌ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲା। ଭୟରେ ଦୁଇ ଭାଇ ନିଜ ନିଜ ଚେନ୍‌ ଓ ବ୍ରେସ୍‌ଲେଟ୍‌ ଖୋଲି ଦୁର୍ବୃତ୍ତର ବାମ ହାତକୁ ବଢ଼ାଇଦେଇଥିଲେ। ପକେଟ୍‌ରେ ଗହଣାତକ ପୂରାଇବା ପରେ ଦୁର୍ବୃତ୍ତ ଦୋକାନ ବାହାରକୁ ଧାଇଁଥିଲା। ପଛେ ପଛେ ଶତୃଘ୍ନ ଓ ସତ୍ୟାନନ୍ଦ ଦୋକାନ ବାହାରକୁ ବାହାରିଆସିବା ବେଳକୁ ଦୁର୍ବୃତ୍ତଜଣଙ୍କ ପଲ୍‌ସର ଧରି ଅପେକ୍ଷା କରିଥିବା ଅନ୍ୟ ଜଣେ ଦୁର୍ବୃତ୍ତ ପାଖକୁ ଦୌଡ଼ୁଥିଲା। କିନ୍ତୁ ବନ୍ଧୁକଧାରୀ ଦୁର୍ବୃତ୍ତ ବାଇକ୍‌ ପଛରେ ବସିବା ପୂର୍ବରୁ ଶତୃଘ୍ନ ଦୋକାନ ଆଗରେ ଥିବା ଏକ ଟିଣ ଡବା ଫୋପାଡ଼ିଥିଲେ। ଟିଣ ଡବା ପିଠିରେ ବାଜିବାରୁ ବନ୍ଧୁକଧାରୀ ଦୁର୍ବୃତ୍ତ ବାଇକ୍‌ ପଛରେ ବସିପାରିନଥିଲା। ବାଇକ୍‌ ଚଳାଉଥିବା ଦୁର୍ବୃତ୍ତ ବେଗ ବଢ଼ାଇ ପଳାଇଥିଲା ଏବଂ ବନ୍ଧୁକଧାରୀ ପାଚେରି ଡେଇଁ ରାମକୃଷ୍ଣ ମିସନ୍‌ ପରିସରକୁ ପଶିଯାଇଥିଲା। ଦୁଇ ଭାଇ ତାକୁ ଅନ୍ଧାର ଭିତରେ ପିଛା କରିବାକୁ ସାହସ କରିପାରିନଥିଲେ। ସେମାନେ ପିସିଆର୍‌କୁ ଫୋନ୍‌ କରିଥିଲେ। କିନ୍ତୁ ପୁଲିସ ପହଞ୍ଚିବା ବେଳକୁ ବହୁ ବିଳମ୍ବ ହୋଇସାରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking