କଟକ: ଭୁବନେଶ୍ୱରରେ ନିଶା କାରବାର କରି ଆତଙ୍କ ସୃଷ୍ଟି କରିଥିବା ଜଣେ ନିଶା ବେପାରୀକୁ ଗିରଫ କରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଟିମ୍ । କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳରୁ ଏଟିଏଫ୍ ଟିମ୍ ଧରିଥିବା ନିଶା ବେପାରୀ ଜଣକ ବାରଙ୍ଗ ଥାନା ଧୋବା ପାଟଣାର ନବ ସାହୁ ବୋଲି ଜଣାଯାଇଛି । ତା’ ଠାରୁ ପୁଲିସ ୨ କ୍ୱିଣ୍ଟାଲ ୫୦ କେଜି ଗୁଟଖା ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ତଦନ୍ତକାରୀ ଅଫିସରମାନେ ସୂଚନା ଦେଇଛନ୍ତି ।
ଶନିବାର ନବକୁ କୋର୍ଟ ଚାଲାଣ କରାଯାଇଥିଲାବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଯୋଗ୍ୟ ଯେ, ନବ ଦୀର୍ଘ ଦିନ ଧରି ବାରଙ୍ଗ ଥାନା ଅଞ୍ଚଳରେ ଗୁଟଖା କାରବାର ଚଳାଇଥିଲା । ପୁଲିସ ଆଖିରେ ଧୂଳି ଦେଇ ସେ ନିଶା କାରବାର ଚଳାଉଥିଲେ ମଧ୍ୟ ପୁଲିସ ସବୁ ଜାଣି ଚୁପ୍ ବସିଥିଲା । ତେବେ ବିଶେଷ ସୂତ୍ରରୁ କ୍ରାଇମବ୍ରାଞ୍ଚ ଟିମ୍ ଖବରପାଇ ନବର ଏକ ଭଡା ଘରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ପୁଲିସ ବିଭିନ୍ନ କମ୍ପାନୀର ଅଢ଼େଇ କ୍ୱିଣ୍ଟାଲ ଗୁଟଖା ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।