ଭୁବନେଶ୍ୱର: ଏପ୍ରିଲ ୨ରୁ ଆରମ୍ଭ ହେବ ୨୦୨୪-୨୫ ନୂତନ ଶିକ୍ଷାବର୍ଷ । ତେବେ ସେହିଦିନ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ଫଳ ଅଭିଭାବକଙ୍କୁ ଅବଗତ କରିବା ପାଇଁ ୨ ତାରିଖ ଦିନ ବିଦ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସେଦିନ ସମସ୍ତ ଅଭିଭାବକ ଯେପରି ଉପସ୍ଥିତ ରହିବେ ସେନେଇ ସମସ୍ତଙ୍କୁ ପ୍ରଧାନ ଶିକ୍ଷକମାନେ ଅବଗତ କରିବେ । ବିଦ୍ୟାଳୟରେ ପରୀକ୍ଷା ଫଳ ପ୍ରଦାନ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମ ନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟର ସମସ୍ତ ସରକାରୀ ସ୍କୁଲ ସମେତ ବେସରକାରୀ ଏବଂ ଅନୁଦାନପ୍ରାପ୍ତ, ଘରୋଇ ସ୍କୁଲରେ ଶିକ୍ଷାଦାନ ଏକ ସମୟରେ ଆରମ୍ଭ ହେବ । ସେହିପରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନଜର ଦେଇ ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ହୋଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ । ଅପରପକ୍ଷେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ସ୍କୁଲମାନଙ୍କର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ । ବିଦ୍ୟାଳୟମାନଙ୍କରେ ସ୍ୱଚ୍ଛ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଇତ୍ୟାଦି ଯୋଗାଇ ଦେବା ପାଇଁ ସମସ୍ତ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ ପ୍ରତିବର୍ଷ ପରି ଚଳିତବର୍ଷ ପିଲାଙ୍କୁ ପାଠ୍ୟପୁସ୍ତକ ଦେବା ସହ ଗ୍ରୀଷ୍ମପ୍ରବାହକୁ ନଜର ଦେଇ ସ୍କୁଲରେ ପାଠପଢ଼ାର ସମୟ ଧାର୍ଯ୍ୟ କରାଯିବ । ସ୍କୁଲରେ ଉପସ୍ଥାନ ଦିବସ ପାଳନ, ମାଗଣା ପାଠ୍ୟପୁସ୍ତକ ବଣ୍ଟନ, ପ୍ରବେଶ ଉତ୍ସବ ଓ ପୂର୍ଣ୍ଣ ଉପସ୍ଥାନ ଦିବସ ପାଳନ ସମ୍ପର୍କରେ କୌଣସି ତାରିଖ ଧାର୍ଯ୍ୟ କରାଯାଇ ନାହିଁ । ତେବେ କିଛି ସ୍କୁଲରେ ଏପ୍ରିଲ ୨ତାରିଖରେ ପ୍ରବେଶ ଦିବସ ପାଳନ କରିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି ।