ନୂଆଦିଲ୍ଲୀ: ଗତ ଏପ୍ରିଲ ମାସରେ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ଦ୍ୱାରା କରାଯାଇଥିବା ଏକ ତଦନ୍ତରେ, ବଜାରରେ ବିକ୍ରି ହେଉଥିବା ପ୍ରାୟ ୧୯୬ଟି ଔଷଧର ଗୁଣବତ୍ତା ଅତ୍ୟନ୍ତ ନିମ୍ନସ୍ତରର ବୋଲି ଜଣାପଡିଛି । ଔଷଧ ପାଇଁ ଉଦ୍ଦିଷ୍ଟ ଗୁଣବତ୍ତା ମାନ ବଜାୟ ରଖିବାରେ ଏହି ୧୯୬ ପ୍ରକାର ଔଷଧ ବିଫଳ ରହିଛି । ଏଥିମଧ୍ୟରୁ କେନ୍ଦ୍ରୀୟ ପରୀକ୍ଷାଗାରରେ ୬୦ଟି ଏବଂ ରାଜ୍ୟ ପରୀକ୍ଷାଗାରରେ ୧୩୬ଟି ଔଷଧର ନମୁନା ଗୁଣବତ୍ତା ପରୀକ୍ଷାରେ ବିଫଳ ରହିଥିବା କୁହାଯାଇଛି । ପରୀକ୍ଷାରେ ବିଫଳ ହୋଇଥିବା ଏହି ନମୁନାଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ବ୍ୟାଚର ଔଷଧ ଉତ୍ପାଦ ସହିତ ଜଡିତ । ତେବେ କେଉଁ ସବୁ ଔଷଧଗୁଡ଼ିକ ଗୁଣବତ୍ତା ପରୀକ୍ଷଣରେ ବିଫଳ ରହିଛି ସେସମ୍ପର୍କରେ ସୂଚନା ଦିଆଯାଇନାହିଁ । ଏପ୍ରିଲ ମାସରେ, ବିହାରରୁ ଆସିଥିବା ଏକ ଔଷଧ ନମୁନାକୁ ନକଲି ଭାବରେ ଚିହ୍ନଟ କରାଯାଇଥିଲା, ଯାହାକୁ ଅନ୍ୟ ଏକ କମ୍ପାନିର ମାଲିକାନାରେ ଥିବା ବ୍ରାଣ୍ଡ୍ ନାମ ବ୍ୟବହାର କରି ଏକ ଅନଧିକୃତ ନିର୍ମାତା ପ୍ରସ୍ତୁତ କରିଥିଲେ । ଏହି ମାମଲାରେ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ପ୍ରକାଶ, ମାନକ ଗୁଣବତ୍ତାରେ ବିଫଳ ଅର୍ଥାତ୍ (ଏନ୍ଏସ୍କ୍ୟୁ) ଅର୍ଥ ହେଉଛି ଔଷଧ ନମୁନା ଗୋଟିଏ କିମ୍ବା ଦୁଇଟି ପାରାମିଟରରେ ବିଫଳ ହୋଇଛି । ଏନଏସ୍କ୍ୟୁ, ମିସ୍ ବ୍ରାଣ୍ଡେଡ୍ ଏବଂ ନକଲି ଔଷଧ ଚିହ୍ନଟ କରିବା ପାଇଁ ଏହି କାର୍ଯ୍ୟ ନିୟମିତ ଭାବରେ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଦ୍ୱାରା ରାଜ୍ୟ ନିୟାମକମାନଙ୍କ ସହଯୋଗରେ କରାଯାଏ । ସିଡିଏସସିଓ ତଦନ୍ତର ଉଦ୍ଦେଶ୍ୟ ହେଉଛି ଏପରି ଔଷଧଗୁଡ଼ିକୁ ଚିହ୍ନଟ କରି ବଜାରରୁ ଅପସାରଣ ନିଶ୍ଚିତ କରିବା । ପୂର୍ବରୁ, କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଡିସେମ୍ବରରେ କେତେକ ଔଷଧ ନମୁନାର ଫଳାଫଳ ପ୍ରକାଶ କରିଥିଲା । ଏହି ଅନୁସାରେ, ୧୩୫ରୁ ଅଧିକ ଔଷଧ ମାନଦଣ୍ଡ ପୂରଣ କରୁନଥିବା ଜଣାପଡ଼ିଥିଲା । ସବୁଠୁ ବଡ଼ କଥା ହେଉଛି, ଯେଉଁ ଔଷଧଗୁଡ଼ିକର ନମୁନା ବିଫଳ ହୋଇଥିଲା, ସେଥିରେ ହୃଦ୍ରୋଗ, ସୁଗାର, କିଡ୍ନୀ, ରକ୍ତଚାପ ଏବଂ ଆଣ୍ଟିବାୟୋଟିକ୍ ସମେତ ଅନେକ ଔଷଧ ଅନ୍ତର୍ଭୁକ୍ତ ଥିଲା । ଏହି ଔଷଧଗୁଡ଼ିକ ମଧ୍ୟରେ ଜନ ଔଷଧି କେନ୍ଦ୍ରଗୁଡ଼ିକୁ ପ୍ରଦାନ କରାଯାଇଥିବା ଆଣ୍ଟିବାୟୋଟିକ୍ ଅନ୍ତର୍ଭୁକ୍ତ ରହିଥିଲା ।