ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ +୩ ବା ସ୍ନାତକ (ୟୁଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୧୯ରୁ ଆବେଦନ ଆରମ୍ଭ ହେବ । ଛାତ୍ରଛାତ୍ରୀ ଅନ୍ଲାଇନରେ ଆବେଦନ କରିବେ । ଆବେଦନ ପ୍ରକ୍ରିୟା ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଛାତ୍ରଛାତ୍ରୀ ସାମ୍ସ ପୋର୍ଟାଲକୁ ଯାଇ ଆବେଦନ କରିପାରିବେ ।
ଉଚ୍ଚଶିକ୍ଷା ବିଭାଗର ସୂଚନା ଅନୁସାରେ, ଜୁନ୍ ୧୯ ତାରିଖ ଅପରାହ୍ଣ ୨ଟାରୁ ସାମ୍ସ ୱେବସାଇଟରେ ଅନଲାଇନ୍ କମନ୍ ଆପ୍ଲିକେସନ୍ ଫର୍ମ ଉପଲବ୍ଧ ହେବ । ଜୁଲାଇ ୪ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏଥିରେ ନାମଲେଖା ପାଇଁ ଆବେଦନ କରିପାରିବେ । ଜୁଲାଇ ୧୪ ଅପରାହ୍ଣ ୨ଟାରେ ପ୍ରଥମ ରାଉଣ୍ଡ ସିଟ୍ ଆଲଟମେଣ୍ଟ ପ୍ରକାଶ ପାଇବ । ଜୁଲାଇ ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ମନୋନୀତ ଛାତ୍ରଛାତ୍ରୀ ସାମ୍ସ ପୋର୍ଟାଲ ମାଧ୍ୟମରେ ସ୍ଲାଇଡ୍ ସିଲେକ୍ସନ/ଫ୍ରିଜ୍/ ଅପ୍ସନ୍ ଫ୍ଲୋଟ୍ ଏବଂ ନାମଲେଖା ପାଇଁ ଅନ୍ଲାଇନ୍ ପେମେଣ୍ଟ କରିପାରିବେ । ଜୁଲାଇ ୧୪ ତାରିଖ ସନ୍ଧ୍ୟା ୭ଟାରୁ ଜୁଲାଇ ୧୮ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ ।
ପ୍ରଥମ ରାଉଣ୍ଡ ମନୋନୟନ ପ୍ରକ୍ରିୟାରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଜୁଲାଇ ୧୫ରୁ ୧୯ ତାରିଖ ମଧ୍ୟରେ ସେମାନଙ୍କୁ ମିଳିଥିବା ଶିକ୍ଷାନୁଷ୍ଠାନରେ ଉପସ୍ଥିତ ରହି ନାମ ଲେଖାଇବେ । ତା’ ମଧ୍ୟରେ କେବଳ ଜୁଲାଇ ୧୬ ତାରିଖ ରବିବାର ପାଇଁ ଛୁଟି ରହିବ । ଅନ୍ୟ ଦିନଗୁଡ଼ିକରେ ଛାତ୍ରଛାତ୍ରୀ ସେମାନଙ୍କୁ ମିଳିଥିବା ଶିକ୍ଷାନୁଷ୍ଠାନରେ ସକାଳ ୯ଟାରୁ ଅପରାହ୍ଣ ୫ଟା ମଧ୍ୟରେ ଉପସ୍ଥିତ ରହି ନାମ ଲେଖାଇ ପାରିବେ । ସେହିପରି ଜୁଲାଇ ୨୭ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ନୋଟିସ ପ୍ରକାଶ ପାଇବ । ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସିଟ୍ ଆଲଟମେଣ୍ଟ ନୋଟିସ ଯଥାକ୍ରମେ ଅଗଷ୍ଟ ୯, ଅଗଷ୍ଟ ୨୧, ସେପ୍ଟେମ୍ବର ୧ ଓ ସେପ୍ଟେମ୍ବର ୧୩ ତାରିଖରେ ପ୍ରକାଶ ପାଇବ ।
ଯଦି ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ଫର୍ମ ପୂରଣ କରିବାରେ କିମ୍ବା ସ୍ଲାଇଡ୍ ମନୋନୟନ କରିବାରେ କିଛି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତାହାହେଲେ ସେମାନେ ନିକଟସ୍ଥ ସାମ୍ସ ରିସୋର୍ସ ସେଣ୍ଟର ସହିତ ଯୋଗାଯୋଗ କରିପାରିବେ । ୨୦୨୩-୨୪ ଶିକ୍ଷାବର୍ଷରେ ୧୦୪୨ କଲେଜର ୨ ଲକ୍ଷ ୭୦ହଜାର ୩୪୭ ସିଟ୍ରେ ନାମଲେଖା ହେବ । କଳା ବିଭାଗର ୧ ଲକ୍ଷ ୫୧ ହଜାର ୯୦୨, ଫିଜିକାଲ ସାଇନ୍ସରେ ୪୬,୧୩୯, ବାୟୋଲୋଜିକାଲ ସାଇନ୍ସରେ ୨୮,୬୯୨, ବାଣିଜ୍ୟର ୩୨,୩୮୦, ସେଲ୍ଫ ଫାଇନାନ୍ସିଂର ୨,୦୮୬ ଓ ସଂସ୍କୃତରେ ୯,୧୪୮ ସିଟ୍ ରହିଛି ।
ସ୍ନାତକ ନାମଲେଖା ଲାଗି ପଞ୍ଜୀକରଣ ସମୟରେ ନାମ, ମୋବାଇଲ୍ ନମ୍ବର, ଇ-ମେଲ୍ ଆଇଡି ରହୁଥିଲା । ଏଥର ପଞ୍ଜୀକରଣ ପେଜ୍ରେ ଛାତ୍ରଛାତ୍ରୀଙ୍କ ଜନ୍ମ ତାରିଖ ଉଲ୍ଲେଖ ରହିବ । ନାମଲେଖା ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଆବଦେନକାରୀ ଦେଇଥିବା ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆକ୍ଟିଭ୍ ରଖିବାକୁ ପରାମର୍ଶ ଦିଆଯାଇଛି ।