ନୂଆଦିଲ୍ଲୀ : ୧୦ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୮ ଜଣ ରାଜ୍ୟସଭା ଏମ୍ପିଙ୍କୁ ବିଜେପି ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ କହିପାରେ ବୋଲି ଚର୍ଚ୍ଚା ହେଉଛି। ମଙ୍ଗଳବାର କେତେଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ରାଜ୍ୟସଭା ଏମ୍ପିଙ୍କ ନାମ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହିଥିଲା। ନିଜର ପ୍ରଦର୍ଶନ ଏବଂ ଭୋଟରଙ୍କୁ ଆକୃଷ୍ଟ କରିବାର କ୍ଷମତା ଅନୁସାରେ ଏହି ନେତାମାନଙ୍କୁ ବାଛିଛି ବିଜେପି। ବିଜେପି ସେମାନଙ୍କୁ ମୌଖିକ ଭାବେ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇବାକୁ କହିଥିବା ଜଣାପଡ଼ିଛି। ତେବେ ସୋସିଆଲ ମିଡ଼ିଆରେ ଯେଉଁମାନଙ୍କ ନାମ ଚର୍ଚ୍ଚାରେ ଅଛି ସେମାନଙ୍କୁ ଏ ବିଷୟରେ ପଚାରିବାରୁ ସେମାନେ କୌଣସି ଉତ୍ତର ଦେବାକୁ ମନା କରିଦେଇଥିଲେ।ଯଦି ସୋସିଆଲ ମିଡ଼ିଆର ପ୍ରଚାର ସତ ହୁଏ, ତେବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ମନ୍ତ୍ରୀ ପୀୟୂଷ ଗୋୟଲ, ଭୂପେନ୍ଦ୍ର ଯାଦବ, ଧର୍ମେନ୍ଦ୍ର ପ୍ରଧାନ, ମନସୁଖ ମାଣ୍ଡବୀୟ, ହରଦୀପ ପୁରୀ, ଏସ୍ ଜୟଶଙ୍କର, ପୁରୁଷୋତ୍ତମ ରୂପାଲା ଓ ଅନ୍ୟମାନଙ୍କୁ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ। ଏମାନେ ସମସ୍ତେ ରାଜ୍ୟସଭାରେ ଦୁଇଟି ପାଳି ଶେଷ କରିବାକୁ ଯାଉଛନ୍ତି।
ଖବର ଅନୁସାରେ ଜୟଶଙ୍କର ଦିଲ୍ଲୀରୁ ନିର୍ବାଚନ ଲଢ଼ିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ସମ୍ବଲପୁର କିମ୍ବା ଢେଙ୍କାନାଳ ଆସନରୁ ଠିଆହେବେ। ଓଡ଼ିଶାର ପୂର୍ବତନ ଏମ୍ପି ବୈଜୟନ୍ତ ପଣ୍ଡାଙ୍କ ନାମ ବି ଚର୍ଚ୍ଚାରେ ଅଛି। ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀରୁ ଲଢ଼ିବେ ବୋଲି ଶୁଣାଯାଉଛି। ନିର୍ମଳା ସୀତାରମଣ ମଦୁରାଇରୁ, ହରଦୀପ ପୁରୀ ଅମୃତସରରୁ କିମ୍ବା ଅନ୍ୟ କୌଣସି ଶିଖ ବହୁଳ ଆସନରୁ ଲଢ଼ିପାରନ୍ତି।