ମୁମ୍ବାଇ: ଚଳିତ ଆର୍ôଥକବର୍ଷ ଶେଷସୁଦ୍ଧା ଦେଶର ଘରୋଇ ଏୟାରଲାଇନ୍ସଗୁଡିକ ୧୫ରୁ ୧୭ ହଜାର କୋଟି ଟଙ୍କାର କ୍ଷତି ସହିବେ ବୋଲି ଇକ୍ରା ଲିମିଟେଡ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସୂଚନାଯୋଗ୍ୟ ପେସାଦାର ପୁଞ୍ଜି ବିନିଯୋଗ ଏବଂ କ୍ରେଡିଟ୍ ରେଟିଂ ଏଜେନ୍ସିଭାବେ ଇକ୍ରା ଲିମିଟେଡ୍ର ଖ୍ୟାତି ରହିଛି । ବିମାନ ଇନ୍ଧନ (ଏଟିଏଫ୍-ଆଭିଏସନ ଟର୍ବାଇନ୍ ଫୁଏଲ) ମୂଲ୍ୟବୃଦ୍ଧି ଏବଂ ଡଲାର ତୁଳନାରେ ଟଙ୍କାର ମୂଲ୍ୟହ୍ରାସ ଏହାର ମୁଖ୍ୟ କାରଣ ବୋଲି ରିପୋର୍ଟରେ କୁହାଯାଇଛି । ଗତବର୍ଷ ଏଟିଏଫ୍ ମୂଲ୍ୟ କିଲୋଲିଟର ପିଛା ୭୪,୧୭୧ ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ୧,୨୪,୪୦୦ ଟଙ୍କାରେ ପହଞ୍ଚିଛି । ଗତ ଆର୍ôଥକବର୍ଷରେ ଘରୋଇ ଏୟାରଲାଇନ୍ସଗୁଡିକ ୨୩,୦୦୦ କୋଟି ଟଙ୍କାର କ୍ଷତି ସହିଥିଲେ । ତେବେ ୨୦୨୩ ମାର୍ଚ୍ଚ ୧ ସୁଦ୍ଧା ଘରୋଇ ଏୟାରଲାଇନ୍ସର ଋଣ ପରିମାଣ ୧ ଲକ୍ଷ କୋଟି (ଲିଜ୍ ବୋଝ ସମେତ) ଛୁଇଁବ ବୋଲି ଆକଳନ କରାଯାଇଛି । ଏଟିଏଫ୍ ମୂଲ୍ୟ ଏବଂ ଡଲାର-ଟଙ୍କା ବିନିମୟ ମୂଲ୍ୟରେ ଏପଟ ସେପଟ ଘଟିଲେ, ତାହାର ପ୍ରଭାବ ଏୟାରଲାଇନ୍ସ ଉପରେ ପଡୁଥିବା ଲକ୍ଷ୍ୟ କରାଯାଇଛି । କୌଣସି ଏୟାରଲାଇନ୍ସର ବ୍ୟବସାୟରେ ୪୫ ପ୍ରତିଶତ କେବଳ ଏଟିଏଫ୍ ବାବଦରେ ଖର୍ଚ୍ଚ ହୋଇଥାଏ । ଅବଶିଷ୍ଟ ୩୫-୫୦ ପ୍ରତିଶତ ଡଲାର-ଟଙ୍କା ବିନିମୟ ମୂଲ୍ୟ ଉପରେ ନିର୍ଭର କରିଥାଏ । ୨୦୨୨-୨୩ ଆର୍ôଥକବର୍ଷର ଜୁନ୍ କ୍ୱାର୍ଟର (ଏପ୍ରିଲ-ମେ-ଜୁନ୍) ଦୁଇଟି ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋ ଓ ସ୍ପାଇସ୍ଜେଟ୍ ଯଥାକ୍ରମେ ୧୦୬୪ ଓ ୭୮୯ କୋଟି ଟଙ୍କାର କ୍ଷତି ସହିସାରିଥିବା ରିପୋର୍ଟରୁ ଜଣାପଡିଛି । ଗତବର୍ଷ ତୁଳନାରେ ଏବର୍ଷ ଘରୋଇ ଏୟାରଲାଇନ୍ସର ଯାତ୍ରୀ ସଂଖ୍ୟାରେ ୫୭.୭ ପ୍ରତିଶତ ବୃଦ୍ଧି ଘଟିଛି । କୋଭିଡ୍ ମହାମାରୀର ପ୍ରଭାବ ହ୍ରାସ ପାଉଥିବା ଏବଂ ବ୍ୟାପକ ଟିକାକରଣ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଅପରପକ୍ଷରେ କୋଭିଡ୍ ପୂର୍ବବର୍ତ୍ତୀ (୨୦୨୦ ଜାନୁଆରୀ ପୂର୍ବ)ରେ ବିମାନଯାତ୍ରୀଙ୍କ ସଂଖ୍ୟା ଯାହା ରହିଥିଲା, ସେହି ଅବସ୍ଥା ୨୦୨୩-୨୪ ଆର୍ôଥକବର୍ଷରେ ସମକକ୍ଷ ହୋଇପାରିବ ବୋଲି ରିପୋର୍ଟରେ କୁହାଯାଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଚଳିତବର୍ଷ ଅଗଷ୍ଟ ୩୧ରୁ ଘରୋଇ ଏୟାରଲାଇନ୍ସର ବିମାନ ଭଡା ଉପରେ କଟକଣା ଲାଗୁ କରାଯାଇଛି । ପୁନଶ୍ଚ ବିଭିନ୍ନ ଘରୋଇ ଏୟାରଲାଇନ୍ସ ମଧ୍ୟରେ ବ୍ୟବସାୟିକ ପ୍ରତିଦ୍ୱଦ୍ୱିତା ଲାଗିରହିଥିବାରୁ କମ୍ପାନୀଗୁଡିକ ଭଡା ମଧ୍ୟ ବୃଦ୍ଧି କରିବାକୁ ସାହସ କରିପାରୁନାହାନ୍ତି । ୨୦୨୨ ମାର୍ଚ୍ଚରୁ ଆନ୍ତର୍ଜାତିକ ବିମାନସେବା ପୁଣି ଆରମ୍ଭ ହୋଇଥିବାରୁ ଘରୋଇ ଏୟାରଲାଇନ୍ସର ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେଉଛି ।