ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷାବର୍ଷ ଲାଗି ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସ୍କଲାରସିପ ଓ ଏବଂ ଫକୀରମୋହନ ଭାଷାବୃତ୍ତି ଲାଗି ଜାନୁଆରୀ ୫ ରୁ ଆବେଦନ ଆରମ୍ଭ ହୋଇ ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । କଲେଜର ଅଧ୍ୟକ୍ଷ ପିଲାମାନଙ୍କ କାଗଜପତ୍ରଗୁଡିକୁ ଜାନୁଆରୀ ୫ ତାରିଖରୁ ଫେବୃୟାରୀ ୨୦ ତାରିଖ ମଧ୍ୟରେ ଯାଞ୍ଚ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ମେଧାବୃତ୍ତି ଲାଗି ସ୍ୱତନ୍ତ୍ର ଗାଇଡଲାଇନ ପ୍ରଣୟନ କରାଯାଇଛି । ଏଥିରେ କୁହାଯାଇଛି ଯେଉଁ ପିଲାଙ୍କର ପାରିବାରିକ ଆୟ ବାର୍ଷିକ ୬ଲକ୍ଷ ଟଙ୍କାରୁ କମ ସେମାନେ ଏହି ବୃତ୍ତି ଲାଗି ଆବେଦନ କରିପାରିବେ । ସେହିଭଳି ବୃତ୍ତି ପାଇବା ଲାଗି କେବଳ ରାଜ୍ୟର ସ୍ଥାୟୀ ବାସିନ୍ଧା ଯୋଗ୍ୟ ବିବେଚିତ ହେବେ ।
ରାଜ୍ୟ ବାହାରେ ପଢୁଥିବା ଓଡିଆ ପିଲାମାନେ ମଧ୍ୟ ଏଥିଲାଗି ଆବେଦନ କରିପାରିବେ । ରେଗୁଲାର କୋର୍ସ କରୁଥିବା ପିଲାହିଁ ବୃତ୍ତି ପାଇବା ଲାଗି ଯୋଗ୍ୟ ହେବେ । ଯେଉଁମାନେ ଦୂରଓ ନିରନ୍ତର ଶିକ୍ଷା କରୁଥିବେ ସେମାନେ ବୃତ୍ତି ଲାଗି ଆବେଦନ କରିପାରିବେନି । ସେହିଭଳି ସ୍କଲାରସିପ ଜନିତ ସମସ୍ତ ତଥ୍ୟ ଷ୍ଟେଟ ସ୍କଲାରସିପ ପୋର୍ଟାଲରେ ଉପଳବ୍ଧ ରହିଛି । ଏହା ସହିତ ବୃତ୍ତି ଆବେଦନ କଲାବେଳେ ଯଦି ପିଲା କୈାଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ବିଭାଗର ଟୋଲ ଫ୍ରି ନଂ ୦୬୭୪-୨୩୯୬୫୫୦ ନମ୍ବର ରେ ଯୋଗାଯୋଗ କରିପାରିବେ । ଏହା ସହିତ ବିଭାଗର ସଂଯୋଗ ହେଲପଲାଇନ ନମ୍ବର ୧୫୫୩୩୫ କିମ୍ବା ୧୮୦୦-୩୪୫୬୭୭୦ ରେ ଯୋଗାଯୋଗ କରିପାରିବେ ।
ମେଲ ଆଇଡି ମାଧ୍ୟମରେ ମଧ୍ୟ ଅଭିଯୋଗ ଦାଖଲ କରିହେବ । ଚଳିତବର୍ଷ ରାଜ୍ୟ ସରକାର ୟୁଜି(+୩) ର ୬ ହଜାର ପିଲାଙ୍କୁ ୩ବର୍ଷ ଲାଗି ୧୫ହଜାର, ୨୫୦୦ ପିଜି ପିଲାଙ୍କୁ ୨ବର୍ଷ ଲାଗି ୨୦ହଜାର ଟଙ୍କା , ବୈଷୟିକ ଶିକ୍ଷାକରୁଥିବା ୬ହଜାର ପିଲାଙ୍କୁ ୪ବର୍ଷିଆ କୋର୍ସ ଲାଗି ବାର୍ଷିକ ୧୦ ହଜାର ହିସାବରେ ୪୦ହଜାର ଟଙ୍କା ଏକ କାଳୀନ ପ୍ରଦାନ କରାଯିବ । ସେହିଭଳି ଓଡିଆ ଅନର୍ସ ରଖି +୩ ପଢୁଥ୍ଖବା ୧୨ଶହ ପିଲା ଓ ୩୦୦ ପିଜି ପିଲାଙ୍କୁ ଫକୀରମୋହନ ଭାଷାବୃତ୍ତି ବାବଦକୁ ଏକକାଳୀନ ୨୦ ହଜାର ଟଙ୍କା ପ୍ରଦାନ କରାଯିବ । ମୋଟ ୧୬ହଜାର ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ ଲାଗି ଚୟନ କରାଯିବ ।