18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଇଂଲଣ୍ଡ ଟିମ୍‌ର ୧୪ ସଦସ୍ୟ ଭାଇରାଲ୍ ସଂକ୍ରମିତ

ଇଂଲଣ୍ଡ ଟିମ୍‌ର ୧୪ ସଦସ୍ୟ ଭାଇରାଲ୍ ସଂକ୍ରମିତ

ରାୱଲପିଣ୍ଡି : ଦୀର୍ଘ ୧୭ ବର୍ଷ ପରେ ଟେଷ୍ଟ୍ ସିରିଜ୍ ଖେଳିବା ପାଇଁ ପାକିସ୍ତାନରେ ପହଞ୍ଚିଥିବା ଇଂଲଣ୍ଡ କ୍ରିକେଟ୍ ଟିମ୍ ସଙ୍କଟରେ ପଡ଼ିଛି । ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚ୍ ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଥିବାବେଳେ ଇଂଲଣ୍ଡ ଟିମ୍‌ର ୧୪ ସଦସ୍ୟ ଭାଇରାଲ୍ ସଂକ୍ରମିତ ହୋଇଛନ୍ତି । ଏହା ମଧ୍ୟରୁ ଅଧା ଖେଳଳି ହୋଇଥିବା ବେଳେ ବାକି ସପୋର୍ଟ ଷ୍ଟାଫ୍ ବୋଲି କୁହାଯାଉଛି । ପ୍ରାରମ୍ଭରେ ଇଂଲଣ୍ଡ ଟିମ୍ ସଦସ୍ୟମାନେ ଫୁଡ୍ ପଏଜନିଂର ଶିକାର ହୋଇଥିବା ଖବର ଆସିଥିଲା । ତେବେ ପରେ ସେମାନେ ଭାଇରାଲ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ପାକିସ୍ତାନୀ ଏବଂ ଇଂଲିଶ୍ ମିଡିଆ ଏହାକୁ କନ୍‌ଫର୍ମ ମଧ୍ୟ କରିଛନ୍ତି । ଇଂଲଣ୍ଡ ଟିମ୍ ମୁଖପାତ୍ର କହିଛନ୍ତି, ଟିମ୍ ସଦସ୍ୟମାନେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇନାହାନ୍ତି । ସେମାନେ କୌଣସି ଅନ୍ୟ ଭାଇରସ୍‌ର ଶିକାର ହୋଇଛନ୍ତି । ତେବେ ମ୍ୟାଚ୍ ପୂର୍ବରୁ ଅଧିକାଂଶ ଖେଳାଳି ସୁସ୍ଥ ହୋଇଯିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ସଂକ୍ରମିତ ଖେଳାଳିଙ୍କ ନାମ ଜଣାପଡ଼ି ନଥିଲେ ମଧ୍ୟ କ୍ୟାପ୍‌ଟେନ୍ ବେନ୍ ଷ୍ଟୋକ୍ସ ଏବଂ ଷ୍ଟାର୍ ବୋଲର୍ ଜେମ୍ସ ଆଣ୍ଡରସନ୍ ଏଥିରେ ସାମିଲ ଥିବା କୁହାଯାଉଛି । ସେହିପରି ବ୍ୟାଟର୍ ଜୋ ରୁଟ୍ ମଧ୍ୟ ସଂକ୍ରମିତ ହୋଇଥିଲେ । ତେବେ ଏବେ ସେ ଠିକ୍ ଅଛନ୍ତି ଏବଂ ବୁଧବାର ପ୍ରାକ୍ଟିସ୍ ପାଇଁ ପହଞ୍ଚିଥିଲେ । ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ପରି ଦେଶର ଖେଳାଳି ଭାରତୀୟ ଉପମହାଦେଶ ଗସ୍ତ ବେଳେ ପ୍ରାୟତଃ ଫୁଡ୍ ପଏଜନିଂର ଶିକାର ହୋଇଥାନ୍ତି । ଏଥିରୁ ବଞ୍ଚିବା ପାଇଁ ଇଂଲଣ୍ଡ ଟିମ୍ ନିଜ ସହିତ ଶେଫ୍ (ରୋଷେୟା) ମଧ୍ୟ ନେଇ ଆସିଥିଲା । ଖେଳାଳି ବାହାର ଖାଦ୍ୟ ଖାଉନଥିଲେ ମଧ୍ୟ ସେମାନେ ସଂକ୍ରମିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking