ଜୟପୁର: ଦେଶରେ ମୌସୁମୀର ଆଗମନ ଘଟିଥିବାବେଳେ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ତେବେ ମରୁଭୂମି ଆଖ୍ୟା ପାଇଥିବା ରାଜସ୍ଥାନରେ ଏଥର ବର୍ଷା ୧୨୩ ବର୍ଷର ରେକର୍ଡ ଭାଙ୍ଗିଥିବା ଜଣାପଡିଛି । ଗତ ଜୁନରେ ରାଜସ୍ଥାନରେ ମୋଟ ୧୫୬.୯ ମିଲିମିଟର ବର୍ଷା ହୋଇଥିବା ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ହାରାହାରି ବୃଷ୍ଟିପାତଠାରୁ ଏହା ୧୮୫ ପ୍ରତିଶତ ଅଧିକ ରହିଥିଲା । ୧୯୦୧ ଜୁନ୍ରେ ରାଜସ୍ଥାନରେ ଶେଷଥର ପାଇଁ ପ୍ରବଳ ବର୍ଷା ଅନୁଭୂତ ହୋଇଥିଲା ବୋଲି ଜୟପୁର ପାଣିପାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ରାଧେଶ୍ୟାମ ଶର୍ମା କହିଛନ୍ତି । ୧୯୯୬ ଜୁନ୍ରେ ରାଜସ୍ଥାନରେ ୧୨୨.୮ ମିଲିପିଟର ବର୍ଷା ହୋଇଥିଲା ।
ଏବର୍ଷ ଜୁନ୍ରେ ପଶ୍ଚିମ ରାଜସ୍ଥାନରେ ସ୍ୱାଭାବିକଠାରୁ ୧୧୮ ପ୍ରତିଶତ ଅଧିକ ବର୍ଷା ହୋଇଥିବାବେଳେ ପୂର୍ବ ରାଜସ୍ଥାନରେ ଏହା ୨୮୭ ପ୍ରତିଶତ ଅଧିକ ରହିଥିବା କୁହାଯାଇଛି । ଗତମାସରେ ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ଯୋଗୁଁ ରାଜସ୍ଥାନର ଜାଲୋର, ପାଲି, ବାଡମେର, ରାଜସମନ୍ଦ ଓ ଆଜମେର ଜିଲ୍ଲାରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଜୁନ ୧୬ରୁ ୨୦ ମଧ୍ୟରେ ଜାଲୋର ଜିଲ୍ଲାରେ ସର୍ବାଧିକ ୪୦୦.୫ ମିଲିଲିଟର ବର୍ଷା ହୋଇଥିବାବେଳେ ଅନ୍ୟ ସବୁ ଜିଲ୍ଲାରେ ସ୍ୱାଭାବିକ କିମ୍ବା ତା’ଠାରୁ ଅଧିକ ପରିମାଣର ବର୍ଷା ହୋଇଥିବା ରାଧେଶ୍ୟାମ କହିଛନ୍ତି । ଚଳିତବର୍ଷ ଜୁନ ୨୫ରେ ମୌସୁମୀ ରାଜସ୍ଥାନରେ ପ୍ରବେଶ କରିଥିଲା । ତେବେ ଏହାପରଠାରୁ ଏହାର ଗତି ବୃଦ୍ଧିି ପାଇବା ସହ ଜୁଲାଇ ୨ ସୁଦ୍ଧା ରାଜସ୍ଥାନ ପଶ୍ଚିମାଞ୍ଚଳର ସବୁ ଅଞ୍ଚଳକୁ ବ୍ୟାପିଥିବା କୁହାଯାଇଛି । ବଙ୍ଗୋପସାଗରରୁ ପବନ ବୋହିବାର ସମ୍ଭାବନା ଥିବାରୁ ଜୁଲାଇ ୬ ଓ ୭ରେ କୋଟା, ଉଦୟପୁର, ଆଜମେର, ଜୟପୁର ଓ ଭରତପୁରରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଆକଳନ କରାଯାଇଛି ।