ନୂଆଦିଲ୍ଲୀ : ଭାରତର ୧୨ ହଜାର ସରକାରୀ ୱେବସାଇଟ୍ ଏବେ ହ୍ୟାକର୍ ଗ୍ରୁପ୍ ଟାର୍ଗେଟ୍ରେ । ‘ହ୍ୟାକ୍ଟିଭିଷ୍ଟ ଇଣ୍ଡୋନେସିଆ’ ନାମକ ଏକ ଗୋଷ୍ଠୀ ଭାରତୀୟ ସରକାରୀ ୱେବ୍ସାଇଟଗୁଡିକର ଏକ ତାଲିକା ପ୍ରକାଶ କରିବାକୁ ଧମକ ଦେଇ ସେହିସବୁ ୱେବ୍ସାଇଟ୍ ଉପରେ ଆଗାମୀ ଦିନରେ ସାଇବର ଆକ୍ରମଣ କରିପାରିବ ବୋଲି କହିଛି । ଗୃହ ମନ୍ତ୍ରଣାଳୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ପକ୍ଷରୁ ସଦ୍ୟ ପ୍ରକାଶିତ ସାଇବର ସୁରକ୍ଷା ସମ୍ପର୍କିତ ରିପୋର୍ଟର୍ରେ ଏନେଇ ସତର୍କ ସୂଚନା ଜାରିକରାଯାଇଛି ।
ଏଥିରେ କୁହାଯାଇଛି ଯେ ହ୍ୟାକର୍ମାନେ ଉଭୟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ତେବେ, ଏହି ଧମକର ମୁକାବିଲା କରିବା ପାଇଁ ଭାରତ ସରକାରଙ୍କ ୱେବସାଇଟ୍ ଗୁଡିକ ସକ୍ଷମ ବୋଲି କୁହାଯାଇଛି । ରିପୋର୍ଟରେ ସରକାରୀ କର୍ମଚାରୀଙ୍କୁ ମଧ୍ୟ ଏଥିରୁ ରକ୍ଷା ପାଇବା ପାଇଁ ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଛି । ସତର୍କ କରାଯାଇଛି, ସାଇବର ଥ୍ରେଟ୍ ଇଣ୍ଟେଲିଜେନ୍ସ ୱିଙ୍ଗ ଇନପୁଟ୍ ଗ୍ରହଣ କରିଛି ଯେ ‘ହ୍ୟାକ୍ଟିଭିଷ୍ଟ ଇଣ୍ଡୋନେସିଆ’ ନାମକ ଗୋଷ୍ଠୀ ଭାରତୀୟ ୱେବ୍ସାଇଟରେ ସାଇବର ଆକ୍ରମଣ କରିବାକୁ ଯାଉଛି ।
ଇଣ୍ଡୋନେସିଆର ହ୍ୟାକ୍ଟିଭିଷ୍ଟ ଗ୍ରୁପ୍ ଡେନାଲ୍ ଅଫ୍ ସର୍ଭିସ୍ (ଡୋଓସ୍) ଏବଂ ଡିଷ୍ଟ୍ରିବ୍ୟୁଟେଡ୍ ଡେନାଲ୍ ଅଫ୍ ସର୍ଭିସ୍ (ଡିଡିଓଏସ୍) ଭଳି ଆକ୍ରମଣ କରିପାରେ । ଏହି ଗୋଷ୍ଠୀରେ ସରକାରୀ ୱେବ୍ସାଇଟଗୁଡିକର ଏକ ତାଲିକା ଜାରି କରାଯାଇଛି; ଯାହାକୁ ଟାର୍ଗେଟ୍ କରାଯାଉଛି । ଏଥିରେ ରାଜ୍ୟ ଏବଂ କେନ୍ଦ୍ର ସରକାରୀ ୱେବ୍ସାଇଟଗୁଡ଼ିକ ଅନ୍ତର୍ଭୁକ୍ତ । ମୁକାବିଲା ପାଇଁ ଡେଭଲପରମାନଙ୍କୁ ପାସୱାର୍ଡ ଏନ୍କ୍ରିପ୍ଟ କରିବା, ସଫ୍ଟୱେୟାର ଏବଂ ପ୍ଲଗଇନ ଅପଡେଟ୍ କରିବା, ସଂଯୋଗ ଷ୍ଟ୍ରିଙ୍ଗ, ଟୋକେନ୍ ଇତ୍ୟାଦି ଯତ୍ନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ହ୍ୟାକ୍ଟିଭିଷ୍ଟ ଇଣ୍ଡୋନେସିଆ ଗୋଷ୍ଠୀ ଇଣ୍ଡୋନେସିଆ ସହିତ ଜଡ଼ିତ ନୁହେଁ, ଏହା ମାଲେସିଆ କିମ୍ବା ବିଭିନ୍ନ ଇସଲାମ ଦେଶରୁ ଆସିପାରେ । ସଂପୃକ୍ତ ଗୋଷ୍ଠୀର ଟାର୍ଗେଟ୍ରେ ଚୀନ୍, ୟୁକ୍ରେନ୍ ଏବଂ ଅନ୍ୟାନ୍ୟ ଦେଶ ମଧ୍ୟ ରହିଛନ୍ତି । ଗତବର୍ଷ ଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ର ସିଷ୍ଟମ ମଧ୍ୟ ରେନ୍ସୱେୟାର ଆଟାକ୍ର ସମ୍ମୁଖୀନ ହୋଇଥିଲା । ଏହାଦ୍ୱାରା ଡାକ୍ତରଖାନାର ସେବା ମଧ୍ୟ ପ୍ରଭାବିତ ହୋଇଥିଲା । ମୋଟାମୋଟି ଭାବେ, ୨୦୨୨ରେ ଭାରତର ଅନେକ ସରକାରୀ ଅନୁଷ୍ଠାନ ଉପରେ ୧୯ ରାନ୍ସୱେୟାର ଆକ୍ରମଣ କରାଯାଇଥିଲା । ୨୦୨୧ ତୁଳନାରେ ଏହା ପ୍ରାୟ ତିନି ଗୁଣ ଅଧିକ । ଗତବର୍ଷ ଏହି ହ୍ୟାକିଂ ଗୋଷ୍ଠୀ ଭାରତୀୟ ସରକାରୀ ୱେବ୍ସାଇଟକୁ ଟାର୍ଗେଟ୍ କରିଥିଲା ।