ନୂଆଦିଲ୍ଲୀ: ଆଇ-ଲିଗ୍ର ୨୦୨୨-୨୩ ସଂସ୍କରଣ ଆସନ୍ତା ୧୨ ତାରିଖଠାରୁ କେରଳର ମାଲାପୁରମ୍ଠାରେ ଆରମ୍ଭ ହେବ । ଏନେଇ ମଙ୍ଗଳବାର ଆୟୋଜକ ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫ୍ଏଫ୍) ପକ୍ଷରୁ ସୂଚନା ଦିଆଯାଇଛି । ଏହି ଟୁର୍ଣ୍ଣାମେଣ୍ଟ୍ର ଉଦ୍ଘାଟନୀ ମୁକାବିଲା ଡିଫେଣ୍ଡିଂ ଚାମ୍ପିଅନ୍ ଗୋକୁଲମ୍ କେରଳ ଏଫ୍ସି ଓ ଗତ ସିଜନ୍ର ରନର୍ସଅପ୍ ମହମ୍ମଡାନ୍ ସ୍ପୋର୍ଟିଂ ମଧ୍ୟରେ ହେବ। ଏହି ଟୁର୍ଣ୍ଣାମେଣ୍ଟ୍ର ଗତ ଦୁଇଟି ସଂସ୍କରଣ କୋଭିଡ୍ ସଂକ୍ରମଣ କାରଣରୁ ବାୟୋ ବବଲ୍ ପରିବେଶ ମଧ୍ୟରେ ପଶ୍ଚିମବଙ୍ଗର କୋଲ୍କାତା, କଲ୍ୟାଣୀ ଓ ନୈନହତିଠାରେ ଖେଳାଯାଇଥିଲା । ତେବେ ଚଳିତ ବର୍ଷ କୋଭିଡ୍ କଟକଣା ପ୍ରତ୍ୟାହୃତ ହୋଇସାରିଥିବାରୁ ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ୧୨ଟି କ୍ଲବ୍ ମଧ୍ୟରେ ୧୩ଟି ଭେନ୍ୟୁରେ ମୁକାବିଲା ହେବ ।
ଗୋକୁଲମ୍ କେରଳ ଦଳ ତା’ର ଘରୋଇ ମ୍ୟାଚ୍ଗୁଡ଼ିକ ମଧ୍ୟରୁ ୬ଟି ମାଲାପୁରମ୍ସ୍ଥିତ ପାୟାନ୍ନାଡ୍ ଷ୍ଟାଡିୟମ୍ଠାରେ ଖେଳିବ । ସେହିପରି ଦଳ ତା’ର ଅବଶିଷ୍ଟ ୫ଟି ମ୍ୟାଚ୍ କୋଝିକୋଡିସ୍ଥିତ ଇଏମ୍ଏସ୍ ଷ୍ଟାଡିୟମ୍ଠାରେ ଖେଳିବାକୁ ନିଷ୍ପତ୍ତି ହୋଇଛି । ସେହିପରି ଶ୍ରୀନଗରର ବକ୍ସି ଷ୍ଟାଡିୟମ୍ ଚଳିତ ବର୍ଷ ଆଇ-ଲିଗ୍ରେ ଡେବ୍ୟୁ କରିବ । ଆସନ୍ତା ବର୍ଷ ଫେବୃଆରୀ ପରଠାରୁ ରିଅଲ୍ କଶ୍ମୀର ଏଫ୍ସି ଏଠାରେ ତା’ର ସମସ୍ତ ମ୍ୟାଚ୍ ଖେଳିବ । ଏହାଛଡ଼ା ହାଇଦ୍ରାବାଦର ଡେକାନ୍ ଆରେନା ଓ ନୂଆଦିଲ୍ଲୀର ଛତ୍ରଶାଳ ଷ୍ଟାଡିୟମ୍ ମଧ୍ୟ ଡେବ୍ୟୁ କରିବେ ଏବଂ ଏହି ଦୁଇ ଷ୍ଟାଡିୟମ୍ରେ ଯଥାକ୍ରମେ ଶ୍ରୀନିଦି ଡେକାନ୍ ଏଫ୍ସି ଓ ସୁଦେବ ଦିଲ୍ଲୀ ଏଫ୍ସି ସେମାନଙ୍କ ଘରୋଇ ମ୍ୟାଚ୍ଗୁଡ଼ିକ ଖେଳିବେ ବୋଲି ସୂଚନା ଦିଆଯାଇଛି ।