ଭୁବନେଶ୍ୱର: ଭୁବନେଶ୍ୱର ମହାଗନର ନିଗମ (ବିଏମ୍ସି) ଅଞ୍ଚଳରେ ଡେଙ୍ଗୁ ନିୟନ୍ତ୍ରଣ ନେଇ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି କମିଶନର । ଆଜି ବିଏମ୍ସି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଲେ, ଯେ ଡେଙ୍ଗୁ ନିୟନ୍ତ୍ରଣ କରିବା ପାଇଁ ଯାହା ଯାହା ପଦକ୍ଷେପ ନିଆଯାଇଛି, ତାହାକୁ ଅଧିକ ଗତିଶୀଳ କରାଇବା ଦରକାର ।
ଏହି ବୈଠକରେ ବିଏମ୍ସିର ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୁର ବିକାଶ, ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ଡକ୍ଟର ମନୋରଞ୍ଜନ ସାହୁ, ସମସ୍ତ ଜୋନାଲ ଡେପୁଟି କମିଶନର, ଏଡିୟୁପିଏଚ୍ଓ ଡାକ୍ତର ଅନ୍ତର୍ଯ୍ୟାମି ମିଶ୍ର ଏବଂ ସିଏଚ୍ଓ ଡାକ୍ତର
ଦୀପକ କୁମାର ବିଶୋଇ ସମସ୍ତ ପିଏଚ୍ସି ଓ ସିଏଚ୍ସିର ମେଡିକାର ଅଫିସର, ସିଟି ହେଲ୍ଥ ମ୍ୟାନେଜର, ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥିତି ସମୀକ୍ଷାରୁ ଜଣାଗଲା କି ଚଳିତ ବର୍ଷ ଅଧିକ ରକ୍ତ ନମୁନା ପରୀକ୍ଷା କରାଯାଇଛି ।
ଅଗଷ୍ଟ ୧୪ ତାରିଖ ସୁଦ୍ଧା ବିଏମ୍ସି ଅଞ୍ଚଳରୁ ୧୦ ହଜାର ୨୮୮ ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୧୬୪ ଜଣଙ୍କଠାରେ ଡେଙ୍ଗୁ ପଜେଟିଭ୍ ଥିବା ଚିହ୍ନଟ କରାଯାଇଛି । ଯାହାକି ଟେଷ୍ଟ ପଜେଟିଭ୍ ରେଟ୍ ଚଳିତ ବର୍ଷ ପ୍ରାୟ ୧୧ ପ୍ରତିଶତ ଥିବା ବେଳେ ପୂର୍ବ ଦୁଇ ବର୍ଷ ତୁଳନାରେ ଏହା କମ୍ ବୋଲି ଜଣାପଡିଛି । ୨୦୨୨ରେ ଏହା ୧୯ ଏବଂ ୨୦୨୧ରେ ଏହା ୨୪ ପ୍ରତିଶତ ରହିଥିଲା । ଚଳିତ ମାସ ୧୪ ତାରିଖ ସୁଦ୍ଧା ଚିହ୍ନଟ ଡେଙ୍ଗୁ ପଜେଟିଭିଙ୍କ ମଧ୍ୟରୁ ୪୭୧ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୪୨୧ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଡାକ୍ତରଖାନାରେ ମାତ୍ର ୫୦ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି ।
ଡେଙ୍ଗୁକୁ ନିୟନ୍ତ୍ରଣ କରିବା ପାଇଁ ବିଏମ୍ସି ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଯଥା ମଶା ଉତ୍ପତ୍ତିସ୍ଥଳ ଚିହ୍ନଟ କରିବା ଏବଂ ସେଗୁଡିକୁ ନଷ୍ଟ କରିବା, ମଶା ତେଲ, ମଶା ଧୁଆଁ, ଘାସ କଟା ଆଦି କାମକୁ ବ୍ୟାପକ କରାଇବା ସହ ତଥ୍ୟ ଉପସ୍ଥାପନା କରିଥିଲେ । ମୁଖ୍ୟତଃ ଶିକ୍ଷାନୁଷ୍ଠାନଗୁଡିକରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବାକୁ କମିଶନର ଗୁରୁତ୍ୱାରୋପ କରିଛନ୍ତି । ତେବେ ଘର ଘର ସମ୍ପର୍କ ଏବଂ ସେ ମ୍ବଦନଶୀଳ ସ୍ଥାନ ପରିଦର୍ଶନ ଓ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ୨୫ ହଜାରରୁ ଅଧିକ ପରିବାର ପରିଦର୍ଶନ ହୋଇଥିବା ବେଳେ ପ୍ରାୟ ୩୩ ହଜାର ମଶା ଲାର୍ଭା ଉତ୍ସକୁ ନଷ୍ଟ କରିଦିଆଯାଇଛି ।
ଏହା ସାଙ୍ଗକୁ ୨୫ ଗାଡି ଅବ୍ୟବହୃତ ଟାୟାର ବିଭିନ୍ନ ସ୍ଥାନରୁ ସଂଗ୍ରହ ହୋଇଛି ଏବଂ ବୁଶ୍ କଟିଂକୁ ଜୋରଦାର କରାଯାଇଛ । ଦୈନିକ ମଶାତେଲ ଏବଂ ମଶା ଧୁଆଁ ଚିହ୍ନିତ ସ୍ଥାନଗୁଡିକରେ ପ୍ରୟୋଗ କରାଯାଉଛି । ଘର ଘର ସମ୍ପର୍କକୁ ଜୋରଦାର କରିବା ପାଇଁ ବିଏମ୍ସି କମିଶନର ନିର୍ଦ୍ଦେଶ ଦେଇଛନ୍ତି । ହଟ ସ୍ପଟ ଅଞ୍ଚଳରେ ସ୍ଥାନୀୟ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଟିମ୍ ସାଇନ, ସ୍ୱଚ୍ଛସାଥୀ ପ୍ରମୁଖ ଘର ଘର ବୁଲି ଲୋକମାନଙ୍କୁ ସଚେତନ କରାଇବା କାର୍ଯ୍ୟ ଚାଲୁ ରହିଥିବାବେଳେ, ସ୍ୱଚ୍ଛସାଥି,ଆଶା କର୍ମୀ ଏବଂ ଅଙ୍ଗନୱାଡି କର୍ମୀମାନେ ମିଶି ଏହାକୁ ଜୋରଦାର୍ କରିଚାଲନ୍ତୁ ଏବଂ ସ୍ଥାନୀୟ କର୍ପୋରେଟରଙ୍କ ସହଯୋଗ ଲୋଡିବାପାଇଁ କହିଛନ୍ତି କମିଶନର । ଆସନ୍ତା ୧୫ ଦିନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।
ତେଣୁ ମଶା ଉତ୍ପିସ୍ଥଳ ଚିହ୍ନଟ ଓ ସେଗୁଡିକୁ ନଷ୍ଟ କରିବା ପ୍ରକ୍ରିୟାକୁ ଆହୁରି ଗତିଶୀଳ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏପରିକି ଜୋନାଲ ଡେପୁଟି କମିଶନରମାନେ ମଧ୍ୟ ନିଜର କ୍ଷେତ୍ର ଭ୍ରମଣରେ ଏହି କାର୍ଯ୍ୟକ୍ରମ ରଖିବାକୁ କୁହାଯାଇଛି । ସ୍ଥାନୀୟ ଡାକ୍ତରମାନଙ୍କ କ୍ଷେତ୍ରଭ୍ରମଣକୁ ଉତ୍ସାହିତ କରିଛନ୍ତି କର୍ତ୍ତୃପକ୍ଷ । ଏହାଦ୍ୱାରା ଆମର ଶିକ୍ଷା ସୂଚନା ଓ ଯୋଗାଯୋଗ କାର୍ଯ୍ୟକ୍ରମ ଦୃଢ଼ ହୋଇପାରିବ ଏବଂ ଗୋଷ୍ଠୀ ସହଭାଗୀତା ବଢ଼ିବ ବୋଲି କୁହାଯାଇଛି ।