20.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶଦେଶରେ ୧୧ ଓମିକ୍ରନ୍ ସବ୍‌-ଭାରିଆଣ୍ଟ୍ ମାମଲା, ୨୯ ଦେଶରେ ଏକ୍ସବିବି. ୧.୫: ‘ହୁ’

ଦେଶରେ ୧୧ ଓମିକ୍ରନ୍ ସବ୍‌-ଭାରିଆଣ୍ଟ୍ ମାମଲା, ୨୯ ଦେଶରେ ଏକ୍ସବିବି. ୧.୫: ‘ହୁ’

ନୂଆଦିଲ୍ଲୀ : ଚୀନ୍‌ରେ କରୋନା ମାମଲା ବୃଦ୍ଧି ପାଇବା ସହିତ ଭାରତ, ପାକିସ୍ତାନ ଓ ଆମେରିକା ପରି ଦେଶରେ ମଧ୍ୟ ସଂକ୍ରମଣ ବ୍ୟାପିବା ବିପଦ ଦେଖାଦେଇଛି । ଏହା ମଧ୍ୟରେ ଭାରତରେ ବିଦେଶରୁ ଆସିଥିବା ଯାତ୍ରୀଙ୍କ ମଧ୍ୟରେ ଓମିକ୍ରନ୍‌ର ସବ୍‌-ଭାରିଆଣ୍ଟ୍‌ର ୧୧ ନୂଆ ମାମଲା ମିଳିଛି । ଅନ୍ୟପଟେ ଆସନ୍ତା ମାର୍ଚ୍ଚ ବେଳକୁ ଭାରତରେ କରୋନାର ଚତୁର୍ଥ ଲହରୀ ଆସିପାରେ ବୋଲି ଓଡ଼ିଶାର ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଅଜିତ କୁମାର ମହାନ୍ତି କହିଛନ୍ତି । ଇତିମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏକ୍ସବିବି. ୧.୫ ଭାରିଆଣ୍ଟ୍‌କୁ ନେଇ ଚେତାବନୀ ଜାରି କରିଛି । ହୁ’ର ଡାକ୍ତର ମାରିୟା ଭାନ୍ କେରଖୋଭ୍‌ଙ୍କ ଅନୁସାରେ ଏହି ଭାରିଆଣ୍ଟ୍ ୨୯ ଦେଶରେ ମିଳିସାରିଛି । ସେ କହିଛନ୍ତି ଏହି ଭାରିଆଣ୍ଟ୍ ତୀବ୍ର ଗତିରେ ବ୍ୟାପୁଛି ଏବଂ ପୁରୁଣା ଭାରିଆଣ୍ଟ୍‌କୁ ରିପ୍ଲେସ୍ କରୁଛୁ । ଏହା ଦ୍ୱାରା ବିଶ୍ୱରେ କରୋନା ଅନେକ ଲହରୀ ଆସିବାର ବିପଦ ବୃଦ୍ଧି ପାଇଛି ।
ଇତିମଧ୍ୟରେ ଦେଶର ବିମାନ ବନ୍ଦରଗୁଡ଼ିକରେ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କର ଲଗାତାର ଟେଷ୍ଟିଂ ଚାଲିଛି । ଡିସେମ୍ବର ୨୪ରୁ ଜାନୁଆରୀ ୩ ତାରିଖ ମଧ୍ୟରେ ବିଦେଶରୁ ଆସିଥିବା ୧୯,୨୨୭ ଯାତ୍ରୀଙ୍କ ଟେଷ୍ଟିଂ ହୋଇସାରିଛି । ଏହା ମଧ୍ୟରୁ ୧୨୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିନୋମ୍ ସିକ୍ୱେନ୍ସିଂରୁ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଓମିକ୍ରନ୍‌ର ସବ୍‌-ଭାରିଆଣ୍ଟ୍ ଦ୍ୱାରା ସଂକ୍ରମିତ ଥିବା ଜଣାପଡ଼ିଛି । ଏହା ମଧ୍ୟରୁ ପଶ୍ଚିମବଙ୍ଗରୁ ୪ ଜଣ ରହିଛନ୍ତି । ସେମାନେ ନିକଟରେ ଆମେରିକାରୁ ଫେରିଥିଲେ । ଚାରିଜଣଙ୍କ ମଧ୍ୟରୁ ତିନିଜଣ ଗୋଟିଏ ପରିବାରର ଏବଂ ନଦିଆ ଜିଲ୍ଲାର ମୂଳ ନିବାସୀ । ଅନ୍ୟଜଣେ ବ୍ୟକ୍ତି ବିହାର ନିବାସୀ । ତେବେ ବର୍ତ୍ତମାନ ସେ କୋଲ୍‌କାତାରେ ରହୁଛନ୍ତି । ସେମାନଙ୍କ ସମ୍ପର୍କରେ ଆସିଥିବା ୩୩ ଲୋକଙ୍କ ଟେଷ୍ଟିଂ କରାଯାଇଥିବା ବେଳେ ସଂକ୍ରମିତ ୪ ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡଭିଆ ଦେଶବାସୀଙ୍କୁ ସତର୍କ ରହିବା ଏବଂ ସରକାରଙ୍କ ଦ୍ୱାରା ଜାରି ଦିଶାନିର୍ଦ୍ଦେଶକୁ ପାଳନ କରିବାକୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking