କନ୍ଧମାଳ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ କରଡ଼ା ରେଞ୍ଜ ବାଦଗଡ଼ ଜଙ୍ଗଲରେ ବାଘ ଶିକାର ଅଭିଯୋଗରେ ବନ ବିଭାଗ ପକ୍ଷରୁ ମୋଟ୍ ୧୧ ଜଣଙ୍କୁ ଗିରଫ କରାଯାଇଥିବା ଏସିଏଫ୍ ମଳୟ ରଞ୍ଜନ କାଲୋ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ବାଘ ନଖ, ଛାଲ ଓ ମାଂସ ଜବତ କରାଯାଇଛି । ଏନେଇ ଏକ ମାମଲା ରୁଜୁ କରାଯାଇ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛିା ପ୍ରକାଶ ଯେ, ଗତ ୩ ତାରିଖ ଦିନ ଗୋବର୍ଦ୍ଧନ ବିଶୋୟୀ ନାମକ ଜଣେ ବ୍ୟକ୍ତି ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଏକ କଲରପତରିଆ ବାଘ ତାଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ଗୋବର୍ଦ୍ଧନଙ୍କ ହାତ ଓ ପିଠିରେ ଗୁରୁତର ଆଘାତ ଲାଗିଥିବାବେଳେ କୌଣସି ପ୍ରକାରେ ସେ ଜଙ୍ଗଲରୁ ଜୀବନ ବଞ୍ଚାଇ ଗ୍ରାମକୁ ଚାଲି ଆସିଥିଲେ ।
ପରେ କିଛି ଗ୍ରାମବାସୀ ଏକଜୁଟ୍ ହୋଇ ବାଘକୁ ଜଙ୍ଗଲ ମଧ୍ୟରେ ବାଡ଼େଇ ବାଡ଼େଇ ମାରିଦେଇଥିଲେ । ବନ ବିଭାଗ କୌଣସି ପ୍ରକାର ଖବର ପାଇ ଉକ୍ତ ଗ୍ରାମରେ ଚଢଉ ଜାରି ରଖିଥିଲା । ଆହତ ବ୍ୟକ୍ତିଙ୍କୁ ଠାବ କରିବା ପରେ ଘଟଣା ପଦାକୁ ଆସିଥିଲା । ମାରୁ ମାରୁ ବାଘକୁ ମାରିଦେଇଥିବା ବେଳେ ଗିରଫ ଅଭିଯୁକ୍ତମାନେ ବାଘର ଚମଡ଼ା , ଦାନ୍ତ , ନିଶ , ନଖ ଓ ଛାଲ ଆଦି କାଟି ରଖିଥିଲେ । ଏହି ଚଢ଼ଉରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ, ଏସିଏଫ୍ ମଳୟ ରଞ୍ଜନ କାଲୋ, ରେଞ୍ଜର ବିରଞ୍ଚି ନାରାୟଣ ପଣ୍ଡାଙ୍କ ସମେତ ଟିକାବାଲି , ରାଇକିଆ ଓ ଜି.ଉଦୟଗିରି ବନାଞ୍ଚଳ ଅଧିକାରୀ ଓ କମର୍ଚାରୀ ସାମିଲ୍ ହୋଇଥିଲେ ।