ଭୁବନେଶ୍ୱର: ଏଣିକି ଗରିବ ପିଲାମାନେ ଇଞ୍ଜିନିୟରିଂ ପାଠପଢ଼ିବାରେ ଅର୍ଥ ବାଧକ ସାଜିବ ନାହିଁ । ସେମାନଙ୍କ ଲାଗି ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ବେଳେ ଏହା ଚଳିତ ବର୍ଷରୁ କାର୍ଯ୍ୟକାରୀ କରାଯିବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯେଉଁ ପିଲାଙ୍କ ପରିବାରର ବାର୍ଷିକ ଆୟ ୮ଲକ୍ଷ ଟଙ୍କାରୁ କମ୍ ଏବଂ ୫ ଏକରରୁ କମ୍ ଜମି ଥିବ ଏହି ସୁବିଧା ପାଇପାରିବେ । ୨୦୨୨-୨୩ ଶିକ୍ଷାବର୍ଷରେ ଓଜେଇଇ ପକ୍ଷରୁ ଚାଲିଥିବା ନାମଲେଖା ପ୍ରକ୍ରିୟାରେ ଆର୍ôଥକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଏଭଳି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ପୂର୍ବରୁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ ରହିଥିଲା । ଚଳିତ ଶିକ୍ଷାବର୍ଷରୁ ଅଲ୍ ଇଣ୍ଡିଆ କାଉନସିଲ୍ ଫର ଟେକନିକାଲ୍ ଏଜୁକେସନ(ଏଆଇସିଟିଇ) ଅନୁମୋଦନ କ୍ରମେ ଏହି ସଂରକ୍ଷଣ ଅନୁଯାୟୀ ଓଜେଇଇ କାଉନସେଲିଂ କରିବ ବୋଲି ଜଣାପଡ଼ିଛି । ନିୟମ ଅନୁଯାୟୀ ଯେଉଁ ଛାତ୍ରଛାତ୍ରୀ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି କିମ୍ବା ପଛୁଆ ବର୍ଗ କୋଟାରେ ଅନ୍ତର୍ଭୁକ୍ତ ଥିବେ ସେମାନେ ଏହି ସୁବିଧା ପାଇବେ ନାହିଁ । ଇଡବ୍ୟୁଏସ ପ୍ରମାଣପତ୍ର ଯାଞ୍ଚ ପରେ ତହସିଲଦାର କିମ୍ବା ଅତିରିକ୍ତ ତହସିଲଦାର ପ୍ରମାଣପତ୍ର ପ୍ରଦାନ କରିବେ । କାଉନସେଲିଂ ଚାଲିଥିବା ବେଳେ ଇଡବ୍ଲ୍ୟଏସ୍ କୋଟା ଲାଗି ଛାତ୍ରଛାତ୍ରୀ ଆବେଦନ କରିବେ । ନାମଲେଖା ସମୟରେ ସେମାନଙ୍କୁ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ।
୨୦୨୨-୨୩ ଶିକ୍ଷାବର୍ଷରେ ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖା ଲାଗି କାଉନସେଲିଂ ଆରମ୍ଭ ହୋଇଯାଇଛି । ପ୍ରଥମ ଥର ଲାଗି ସମସ୍ତ ଟେକ୍ନିକାଲ ଓ ପ୍ରଫେସନାଲ କୋର୍ସରେ ସାଧାରଣ ବର୍ଗର ଇଡବ୍ଲ୍ୟଏସ୍ ଛାତ୍ରଛାତ୍ରୀଙ୍କ ଲାଗି ୧୦% ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି । ଏହାକୁ ଲାଗୁ କରିବାକୁ ହେଲେ ବର୍ତ୍ତମାନର ସିଟ୍ର ୨୫% ବୃଦ୍ଧି କରାଯିବ । ଫଳରେ ଯେଉଁ ବିଭାଗରେ ୬୦ଟି ସିଟ୍ ରହିଛି ତାହା ୭୫କୁ ଓ ଯେଉର୍ ବିଭାଗରେ ୧୨୦ ସିଟ୍ ରହିଛି ତାହାକୁ ୧୫୦କୁ ବୃଦ୍ଧି କରାଯିବ । ଏହି ବ୍ୟବସ୍ଥା ଦ୍ୱାରା ଗରିବ ମେଧାବୀ ପିଲାମାନେ ଉପକୃତ ହୋଇପାରିବେ । ରାଜ୍ୟରେ ୮ଟି ସରକାରୀ କଲେଜ ସହ ମୋଟ ୮୬ଟି ଘରୋଇ ଇଞ୍ଜିନିୟରିଂ କଲେଜରେ ୩୪ ହଜାରରୁ ଅଧିକ ସିଟ୍ ରହିଛି ।