ବେଙ୍ଗାଲୁରୁ : କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ସହରରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ସର୍ବସାଧାରଣଙ୍କ ପାଇଁ ୧୦ ଲକ୍ଷ ଟଙ୍କାରେ ନିର୍ମିତ ଏକ ବସ୍ଷ୍ଟପ୍ ଗାଏବ୍ ହୋଇଥିବା ପୁଲିସରେ ଅଭିଯୋଗ ହୋଇଛି । ଏହା କିପରି ଗାଏବ୍ ହେଲା, ତାହାର ସତ୍ୟାସତ୍ୟ ଜାଣିବାକୁ ବେଙ୍ଗାଲୁରୁ ପୁଲିସ ଉଦ୍ୟମ ଆରମ୍ଭ କରିଛି ।
ଉକ୍ତ ବସ୍ଷ୍ଟପ୍ରେ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଚେୟାର ମଧ୍ୟ ଚୋରି ହୋଇଯାଇଛି । ସୂଚନାଯୋଗ୍ୟ କନିଙ୍ଗ୍ହାମ୍ ରୋଡ୍ରେ ଏହି ବସ୍ଷ୍ଟପ୍ ନିର୍ମାଣ କରାଯାଇଥିଲା । ତେବେ ସେପ୍ଟେମ୍ବର ୩୦ରେ ବସ୍ଷ୍ଟପ୍ର ଚିହ୍ନବର୍ଣ୍ଣ ନ ମିଳିବାରୁ ବାଙ୍ଗାଲୋର ମେଟ୍ରୋପଲିଟାନ୍ ଟ୍ରାନ୍ସପୋର୍ଟ କର୍ପୋରେସନ ଭାଇସ୍ ପ୍ରେସିଡେଣ୍ଟ ଏନ.ରବି ରେଡ୍ଡି ଥାନାରେ ଏତଲା ଦାଏର କରିଛନ୍ତି । ପୁଲିସ ସେହି ଅଞ୍ଚଳରେ ଥିବା କେତେକ ବିଲିଡିଙ୍ଗ୍ର ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଏହି ଘଟଣାକୁ ନେଇ ଲୋକେ ସୋସିଆଲ ମିଡିଆରେ ବେଙ୍ଗାଲୁରୁ ପୁଲିସକୁ ତୀବ୍ର ସମାଲୋଚନା କରୁଛନ୍ତି ।